ମୋଦୀଙ୍କ ୩ ପରିବର୍ତ୍ତନକାରୀ ନିଷ୍ପତ୍ତି

୭୦ ବର୍ଷରେ ପଦାର୍ପଣ, ବିଶ୍ବନେତାଙ୍କ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଦେଶପାଇଁ ଅନେକ କ୍ରାନ୍ତିକାରୀ ନିଷ୍ପତ୍ତି ନେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବଡ଼ ଭୂମିକା ରହିଛି। ଆଜି ମୋଦୀଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ତାଙ୍କ ଦ୍ବାରା ନିଆଯାଇଥିବା ୩ଟି ନିଷ୍ପତ୍ତି ଚର୍ଚ୍ଚାର ପରିସରକୁ ଆସିଛି। ସେଗୁଡ଼ିକ ହେଲା ‘ଗୁଜରାଟ ସୌରଶକ୍ତି ଉନ୍ନୟନ ନୀତି’, ‘ମିସନ ହନି’ ଓ ‘ବିଜୁଳି ଚାଳିତ କୁମ୍ଭାର ଚକ’। ୨୦୦୯ରେ ମୋଦୀ ଲାଗୁ କରିଥିବା ‘ଗୁଜରାଟ ସୌରଶକ୍ତି ଉନ୍ନୟନ ନୀତି’ ଦେଶରେ ସୌରଶକ୍ତି ଆନ୍ଦୋଳନକୁ ବହୁ ଆଗକୁ ନେଇସାରିଛି। ୨୦୨୨ ସୁଦ୍ଧା ଭାରତକୁ ସୌରଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ଗଢ଼ିତୋଳିବା ଲକ୍ଷ୍ୟ ମୋଦୀଙ୍କର ରହିଛି। ମୋଦୀଙ୍କ ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଏବେ ଦେଶ ସୌରଶକ୍ତି ଉତ୍ପାଦନରେ ସ୍ବାବଲମ୍ବୀ ହେବାକୁ ଯାଉଛି। ସେହିଭଳି ‌ମୋଦୀଙ୍କ ‘ମିସନ ହନି’ ଦେଶର ଚାଷୀକୂଳ ପାଇଁ ନୂଆ ଆଶା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଗତ ୨୦୧୬ରେ ଗୁଜରାଟର ବନସକଣ୍ଠା ଠାରେ ‘ମିସନ ହନି’ର ଶୁଭାରମ୍ଭ କରିଥିଲେ। ଫଳରେ ଏବେ ଦେଶରେ ମହୁକୁ ନେଇ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଲାଣି। ପ୍ରଧାନମନ୍ତ୍ରୀଙ୍କ ଏହି ଛୋଟିଆ ପ୍ରୟାସ ଆଜି ବିଶାଳ ରୂପ ନେବାକୁ ବସିଛି। ଗୁଜରାଟର ‘ବନସ ଡାଇରି’ ଜରିଆରେ ୧୫ ହଜାର ମହୁ ଚାଷୀ ବର୍ଷକୁ ୯ ହଜାର ଟନ୍‌ ମହୁ ଉତ୍ପାଦନ କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଆଜି ଭାରତ ବିଶ୍ବରେ ଏକ ପ୍ରମୁଖ ମହୁ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟ‌ରେ ଅନ୍ୟତମ ହୋଇପାରିଛି।

ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ଏକ କ୍ରାନ୍ତିକାରୀ ପଦକ୍ଷେପ ହେଉଛି ‘ବିଜୁଳି ଚାଳିତ କୁମ୍ଭାର ଚକ’। ଏହି ‌ଯୋଜନାରେ କୁମ୍ଭାରମାନଙ୍କୁ ପାରମ୍ପରିକ କୁମ୍ଭାରଚକ ପରିବର୍ତ୍ତେ ବିଜୁଳି ଚାଳିତ କୁମ୍ଭାର ଚକ ‌ଯୋଗାଇ ଦିଆଯାଇଥିଲା। ଗତ ୨୦୧୯ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ୧୭ ହଜାର ବିଜୁଳି ଚାଳିତ କୁମ୍ଭାର ଚକ ଯୋଗାଇ ଦିଆଯାଇଥିଲା। ଆଜି ଦେଶରେ ରେକର୍ଡ ପରିମାଣରେ ମାଟି ଓ ପ୍ଲାଷ୍ଟିକ୍‌ ନିର୍ମିତ ସାମଗ୍ରୀ ଉତ୍ପାଦନ ସମ୍ଭବ ‌ହୋଇପାରିଛି। ସେହିଭଳି ଗୋବର ଗ୍ୟାସ୍‌ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ବାବଲମ୍ବୀ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ବେଶ୍‌ ଗୁରୁତ୍ବପୂର୍ଣ୍ଣ।

୭୦ ବର୍ଷରେ ପଦାର୍ପଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଦେଶର ବିଭିନ୍ନ ବରିଷ୍ଠ ନେତାଙ୍କ ସହ ବିଦେଶରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବିଜେପିର ବରିଷ୍ଠ ନେତାଙ୍କ ସମେତ ବିଭିନ୍ନ ଦଳର ନେତାମାନେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।‌ ମୋଦୀଙ୍କ ଜନ୍ମଦିନକୁ ବିଜେପି ‘ସେବା ଦିବସ’ ଭାବେ ପାଳନ କରୁଛି ଏବଂ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି। ମୋଦୀଙ୍କ ଜନ୍ମଦିନ ପାଇଁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ ହେଉଛି। ଜନ୍ମଦିନ ପାଇଁ ୭୦ କେଜି ଲଡୁ ପ୍ରସ୍ତୁତ ହୋଇଛି। ଭଦୋଦରାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ୨୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଜୀବନ ବୀମା କରାଯାଇଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ହୋଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ , ଜନ୍ମଦିନର ଅନେକ ଶୁଭେଚ୍ଛା। ଆପଣ ଭାରତର ଜୀବନ ମୂଲ୍ୟ ଏବଂ ଗଣତାନ୍ତ୍ରିକ ପରମ୍ପରା ପ୍ରତି ପ୍ରତିବଦ୍ଧତା ଦେଖାଇବାରେ ଏକ ଆଦର୍ଶ ଉପସ୍ଥାପନ କରିଛନ୍ତି। ଭଗବାନ ଆପଣଙ୍କୁ ସର୍ବଦା ସୁସ୍ଥ ଏବଂ ସୁଖରେ ରଖନ୍ତୁ । ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ମୋଦୀ ଦେଶକୁ ଏକ ନୂଆ ସ୍ତରକୁ ନେବାପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟ ଦ୍ବାରା ଭାରତ ଆତ୍ମନିର୍ଭରଶୀଳ ହେବାପାଇଁ ବାଟ ଫିଟିବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ମୋଦୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହ କହିଛନ୍ତି, ମୋଦୀଙ୍କୁ ସମସ୍ତେ ଭଲପାଆନ୍ତି। ମୋଦୀ ସମାଜର ବଞ୍ଚିତ ଶ୍ରେଣୀଙ୍କୁ ମୁଖ୍ୟ ସ୍ରୋତରେ ଯୋଡ଼ିଛନ୍ତି। ଦେଶର କଲ୍ୟାଣ ପାଇଁ ମୋଦୀ ତାଙ୍କ ସମଗ୍ର ଜୀବନକୁ ସମର୍ପି ଦେଇଛନ୍ତି ଏବଂ ଏକ ସୁଦୃଢ଼ ଓ ଆତ୍ମନିର୍ଭର ଭାରତର ସେ ମୂଳଦୁଆ ପକାଇଛନ୍ତି ବୋଲି ଶାହ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର