ଏମିତି ବି ଘଟେ ଚମତ୍କାର; ମୃତ ଘୋଷିତ ବ୍ୟକ୍ତି ଶବ ବ୍ୟବଚ୍ଛେଦ ଟେବୁଲ ଉପରେ ଫେରି ପାଇଲେ ଜୀବନ

ଭୋପାଳ: ଅନେକ ସମୟରେ ଅନେକ ପ୍ରକାରର ଚମତ୍କାର ଘଟଣାମାନ ଘଟିଥାଏ। ଆଜି ସେହିପରି ଏକ ଚମତ୍କାରୀ ଘଟିଛି ମଧ୍ୟପ୍ରଦେଶର ଛିନ୍ଦଓ୍ଵାରା ଜିଲ୍ଲାରେ। ହିମାଂଶୁ ଭରଦ୍ୱାଜ ନାମକ ଜନୈକ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିବା ସହ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ତେବେ, ଶବ ବ୍ୟବଚ୍ଛେଦ ଗୃହରେ ହିମାଂଶୁଙ୍କ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ଯିବାବେଳେ ତାଙ୍କ ନାଡ଼ି (ପଲ୍‌ସ) ଚାଲୁଥିବା ଏବଂ ସେ ନିଃଶ୍ୱାସ ନେଉଥିବା ଡାକ୍ତରମାନେ ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଡାକ୍ତରମାନେ ତୁରନ୍ତ ତାଙ୍କୁ ଆଉଥରେ ଶବ ବ୍ୟବଚ୍ଛେଦ ଗୃହରୁ ଓ୍ଵାର୍ଡକୁ ଆଣିବା ସହ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଏହି ଘଟଣା ଏବେ ସମଗ୍ର ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏକ ମୋଟର ସାଇକେଲ୍‌ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ହିମାଂଶୁଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ହିମାଂଶୁଙ୍କର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ଅକାମି (ବ୍ରେନ୍‌ ଡେଡ୍‌) ଘୋଷଣା କରିଥିଲେ। ଏହାପରେ ତାଙ୍କୁ ସୋମବାର ଦିନ ଛିନ୍ଦଓ୍ଵାରା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଛିନ୍ଦଓ୍ଵାରା ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ଠାକୁର ଯେତେବେଳେ ହିମାଂଶୁଙ୍କୁ ପରୀକ୍ଷା କଲେ ସେତେବେଳେ ତାଙ୍କର ନାଡ଼ି (ପଲସ୍‌) ଚାଲୁ ନଥିବା ଓ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଡାକ୍ତର ଠାକୁର ଆଉ ଜଣେ ଡାକ୍ତରଙ୍କୁ ହିମାଂଶୁଙ୍କ ନାଡ଼ି (ପଲସ୍‌) ପରୀକ୍ଷା କରିବାକୁ କହିଥିଲେ। ତେବେ, ସେ ଡାକ୍ତର ମଧ୍ୟ ପରୀକ୍ଷା କରି ନାଡ଼ି (ପଲସ୍‌) ଚାଲୁ ନଥିବା ଓ ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ଯାଇଥିବା ଦେଖିବା ପରେ ହିମାଂଶୁଙ୍କୁ ମୃତ ଘୋଷିତ କରିଥିଲେ।

ତେବେ, ଏହା ଏକ ଦୁର୍ଘଟଣା ଜନିତ ଘଟଣା ଥିବାରୁ ହିମାଂଶୁଙ୍କ ମୃତହେଦକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା। ତେବେ, ମଙ୍ଗଳବାର ସକାଳେ ଶବ ବ୍ୟବଚ୍ଛେଦ ଗୃହରେ ହିମାଂଶୁଙ୍କ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ଯିବାବେଳେ ତାଙ୍କ ନାଡ଼ି (ପଲ୍‌ସ) ଚାଲୁଥିବା ଏବଂ ସେ ନିଃଶ୍ୱାସ ନେଉଥିବା ଡାକ୍ତରମାନେ ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଡାକ୍ତରମାନେ ତୁରନ୍ତ ତାଙ୍କୁ ଆଉଥରେ ଶବ ବ୍ୟବଚ୍ଛେଦ ଗୃହରୁ ଓ୍ଵାର୍ଡକୁ ଆଣିବା ସହ ତାଙ୍କର ଚିକିତ୍ସା ଆରମ୍ଭ କରିଥିବା ଡାକ୍ତର ସିକେ ଗଡ଼ାମ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର