ଶନି ଗ୍ରହର ଚନ୍ଦ୍ର ଟାଇଟନ୍‌ରେ ଜୀବସତ୍ତା ଖୋଜିବାକୁ ‘ଡ୍ରାଗନ୍‌ଫ୍ଲାଏ’ ଡ୍ରୋନ୍‌ ପଠାଇବ ‘ନାସା’

ଓ୍ଵାସିଂଟନ୍‌: ଶନି ଗ୍ରହର ଚନ୍ଦ୍ର ଟାଇଟନ୍‌କୁ ୨୦୨୬ରେ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଏଜେନ୍‌ସି ‘ନାସା’ ଗୋଟାଏ ଡ୍ରୋନ୍‌ ପଠାଇବ ବୋଲି ଗୁରୁବାର ଦିନ ଘୋଷଣା କରିଛି। ଅତି ପ୍ରାରମ୍ଭିକ କାଳରେ ପୃଥିବୀ ଯେପରି ଥିଲା ଏବେ ଟାଇଟନ୍‌ ସେ ଭଳି ଜୈବ ସମୃଦ୍ଧ ଅଛି।

‘ଡ୍ରାଗନ୍‌ଫ୍ଲାଏ’ ନାମକ ଏହି ରୋଟର୍‌କ୍ରାଫ୍ଟ୍‌ଟି ୨୦୩୪ରେ ଶନିର ଚନ୍ଦ୍ରରେ ପହଞ୍ଚିବ। ଉଭୟ ପୃଥିବୀ ଓ ଟାଇଟନ୍‌ରେ ସାଧାରଣ ପ୍ରିବାୟୋଟିକ୍‌ ରାସାୟନିକ ପ୍ରକ୍ରିୟାର ସଂକ୍ରାନ୍ତରେ ଏହି ଯାନ ଅନେ୍ଵଷଣ କରିବ। ବିଶ୍ୱରେ ଜୀବ ଉତ୍ପତ୍ତି କିପରି ସମ୍ଭବ ହେଲା ଏଥିରୁ ତାହାର ସୂତ୍ର ମିଳିପାରେ ବୋଲି ଆଶା କରାଯାଉଛି।

ସୌରମଣ୍ଡଳର ଦ୍ୱିତୀୟ ବୃହତ୍‌ ଚନ୍ଦ୍ର ଟାଇଟନ୍‌ ହେଉଛି ଏକ ତୁଷାର ବିଶ୍ୱ ଏବଂ ଏହାର ପୃଷ୍ଠ ନାଇଟ୍ରୋଜେନ୍‌ ଆଧାରିତ ସ୍ୱର୍ଣ୍ଣିମ ବାୟୁମଣ୍ଡଳରେ ଆଚ୍ଛାଦିତ। ଏହି ବାୟୁମଣ୍ଡଳର ସାନ୍ଦ୍ରତା ପୃଥିବୀର ବାୟୁମଣ୍ଡଳ ଠାରୁ ଚାରିଗୁଣ।

Image Source: The Indepandent

ଡ୍ରାଗନ୍‌ଫ୍ଲାଏ ହେଉଛି ଆଠଟି ରୋଟର ଥିବା ଡ୍ରୋନ୍‌ଜାତୀୟ ମହାକାଶଯାନ। ଏହା ଟାଇଟନ୍‌ ପୃଷ୍ଠରେ ଜୈବ ବାଲୁକାସ୍ତପ, ତରଳ ଜଳ ଏବଂ ମିଶ୍ର ଜୈବପଦାର୍ଥ ଥିବା ଗହ୍ଵରର ଚଟାଣ ଆଦି ଅନେ୍ଵଷଣ କରିବ। ନିୟୂତ ନିୟୂତ ବର୍ଷ ତଳେ ଏହି ସବୁ ପଦାର୍ଥ ଜୀବନର ସୂତ୍ର ହୋଇଥିବାର ସମ୍ଭାବନା ରହିଛି।

ଏହି ମହାକାଶଯାନରେ ଥିବା ଯନ୍ତ୍ରପାତି ସେଠାରେ ଅତୀତ ବା ବିଲୁପ୍ତ ଜୀବସତ୍ତାର ରାସାୟନିକ ପ୍ରମାଣର ସନ୍ଧାନ କରିବ ବୋଲି ନାସା କହିଛି। ଏହି ରୋଟର୍‌କ୍ରାଫ୍ଟ୍‌ଟି ଟାଇଟନ୍‌ର ପୃଷ୍ଠରୁ ନମୁନା ସଂଗ୍ରହ କରିବାକୁ ଆଠ କିଲୋମିଟର ଯାଏଁ ବେଙ୍ଗ ପରି କୁଦା ମାରିବ।

ସମ୍ବନ୍ଧିତ ଖବର