ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ସହିଦମାନଙ୍କ ସ୍ମୃତିରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀର ଉଦଘାଟନ କରିଛନ୍ତି। ଏହି ଅବସରରେ ସ୍ବାଧୀନ ଭାରତରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କ ଉଦ୍ଦେଶ୍ୟରେ ମୋଦୀ ଏହାକୁ ଉତ୍ସର୍ଗ କରିଥିବା କହିଛନ୍ତି।
ଇଣ୍ଡିଆ ଗେଟ୍ ଏବଂ ଅମର ଯବାନ ଜ୍ୟୋତି ରହିଥିବା ସ୍ଥାନର ଠିକ୍ ସମ୍ମୁଖରେ ୪୦ ଏକର ପରିମିତ ଜାଗାରେ ନିର୍ମିତ ଏହି ଜାତୀୟ ସ୍ମାରକୀରେ ସ୍ଥାନୀତ ୧୬ଟି କାନ୍ଥରେ ୨୫,୯୪୨ ଜଣ ସହିଦ ସୈନିକଙ୍କ ନାମ ଲିପିବଦ୍ଧ ହୋଇଛି। ଏହି ଯବାନମାନେ ବିଶେଷ କରି ୧୯୬୨ ମସିହାର ଚୀନ୍ ସହ ଯୁଦ୍ଧ ସମେତ ୧୯୪୭, ୧୯୬୫ ଓ ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ, ୧୯୯୯ର କାର୍ଗିଲ ଯୁଦ୍ଧ, ଶ୍ରୀଲଙ୍କାରେ ଶାନ୍ତିସେନା କାର୍ଯ୍ୟାନୁଷ୍ଠାନ ଏବଂ ଜାତିସଂଘର ବିଭିନ୍ନ ଶାନ୍ତିସେନା ଅଭିଯାନରେ ବୀରଗତି ପ୍ରାପ୍ତ ହୋଇଛନ୍ତି। ସ୍ମାରକୀର କେନ୍ଦ୍ରସ୍ଥଳରେ ଏକ ବିଶାଳ ସ୍ତମ୍ଭ ସମେତ ଚିର ପ୍ରଜ୍ବଳିତ ଜ୍ୟୋତି ଏବଂ ଭାରତୀୟ ସେନା ଦ୍ବାରା ସଂଘଟିତ ପ୍ରସିଦ୍ଧ ଯୁଦ୍ଧର ପ୍ରତୀକାତ୍ମକ ୬ଟି ବ୍ରୋଞ୍ଜ୍ ଖୋଦେଇ ରହିଛି। ସେହିପରି ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର ଏବଂ ରକ୍ଷକ ଚକ୍ର ନାମରେ ଚାରିଟି ସମକେନ୍ଦ୍ରିକ ବୃତ୍ତ ମଧ୍ୟ ସ୍ଥାନ ପାଇଛି।
ସୂଚନା ଥାଉ କି, ପ୍ରତ୍ୟହ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏ ଏବଂ ଶୀତଦିନେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ଖୋଲା ରହିବାକୁ ଥିବା ଏହି ସ୍ମାରକୀରେ ଏକକାଳୀନ ୨୫୦ ଦର୍ଶକ ପରିଦର୍ଶନ କରିପାରିବେ। ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣ ରଖି ସୈନିକମାନଙ୍କର ମଙ୍ଗଳ କାମନା ହିଁ ସର୍ବାଗ୍ରେ ବୋଲି ମତ ରଖିବା ସହ ଏପରି ସ୍ମାରକୀ ଯୁବପିଢ଼ିଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି। ବହୁ ଦଶନ୍ଧି ଧରି ଏପରି ଏକ ସ୍ମୃତିପୀଠ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ତେବେ ଦେଶବାସୀଙ୍କ ଆଶୀର୍ବାଦରେ ଏବେ ତାହା ବାସ୍ତବ ରୂପ ନେଇଛି। ଦେଶ ସ୍ବାଧୀନ ପାଇବା ପରେ ପ୍ରାଣବଳି ଦେଇଥିବା ସୈନିକମାନଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୋଦୀ କହିଛନ୍ତି।
ଜାତୀୟ ଯୁଦ୍ଧ ସ୍ମାରକୀ:ଇଣ୍ଡିଆ ଗେଟ୍ଠାରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
8ସ୍ବାଧୀନୋତ୍ତର ସହିଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି 8୧୬ଟି କାନ୍ଥରେ ୨୫,୯୪୨ ଜଣ ସହିଦଙ୍କ ନାମ ରହିଛି
/sambad/media/post_attachments/wp-content/uploads/2019/02/War-Memorial.jpg)