ସାଥିରେ ଝିଅକୁ ନେଇ ସାମରିକ ଭୋଜିସଭାରେ ଯୋଗ ଦେଲେ ଉତ୍ତର କୋରିଆ ନେତା କିମ୍‌-ଜୋଙ୍ଗ୍‌-ଉନ୍‌

ନୂଆଦିଲ୍ଲୀ: ବାପା କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ସାଥିରେ ଝିଅ ଉତ୍ତର କୋରିଆ ସାମରିକ ଭୋଜିସଭାରେ ଯୋଗ ଦେଇଥିବା କଥା ମଙ୍ଗଳବାର ଦିନ ସେଠାକାର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିବା ପରେ ସେ ହିଁ କିମ୍‌ଙ୍କ ପରିବାରର ଉତ୍ତରାଧିକାରିଣୀ ବୋଲି ବିଭିନ୍ନ ଗଣମାଧ୍ୟମ କଳ୍ପନାଜଳ୍ପନା ଉପରେ ଆଧାରିତ ରିପୋର୍ଟ ପ୍ରକାଶ କରିଛନ୍ତି।

ଭୋଜିସଭାରେ ପଦସ୍ଥ ସେନା ଅଧିକାରୀମାନଙ୍କ ଗହଣରେ କଳା ସୁଟ୍‌ ପିନ୍ଧି ବାପାଙ୍କ ପାଖରେ ବସିଥିବା ଝିଅଟିର ନାଁ କିମ୍‌ ଜୁ ଅୟେ। ସେ କିମ୍‌ଙ୍କର ଦ୍ବିତୀୟ ସନ୍ତାନ ବୋଲି ବିଶ୍ବାସ କରାଯାଉଛି। ଏହା ହେଉଛି ୯ ବର୍ଷୀୟ ଝିଅ ସହିତ କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ୪ର୍ଥ ସର୍ବସାଧାରଣ ପରିପ୍ରକାଶ।

Image Courtesy of India Today

ଉତ୍ତୋଳିତ ଫଟୋରେ ଦେଖାଯାଉଛି, ବାପା ପଦସ୍ଥ ସେନା ଅଧିକାରୀମାନଙ୍କ ସହିତ କରମର୍ଦ୍ଦନ କରୁଥିବା ବେଳେ କିମ୍‌ ଜୁ ଅୟେ ତାଙ୍କ ପାଖକୁ ଲାଗି ଠିଆ ହୋଇଛନ୍ତି। ତା’ପରେ ଟେବୁଲ୍‌ ପାଖରେ ମଧ୍ୟ ବାପାଙ୍କ ପାଖକୁ ଲାଗି ବସିଛନ୍ତି। ସେନା ଅଧିକାରୀମାନେ ନଇଁପଡ଼ି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବାରୁ ରାଷ୍ଟ୍ରାୟତ ଗଣମାଧ୍ୟମ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ନେତାଙ୍କ ସମ୍ମାନାସ୍ପଦ ଗେହ୍ଲୀ ଝିଅ।

ସେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ ହୋଇ ପାରନ୍ତି ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ନଭେମ୍ବର ମାସରେ କେତେଗୁଡ଼ିଏ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ ବେଳେ ମଧ୍ୟ ସେ ବାପା କିମ୍‌ଙ୍କ ସହିତ ସାମରିକ ବୈଜ୍ଞାନିକମାନଙ୍କ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର