ନୂଆଦିଲ୍ଲୀରେ ଓଡ଼ିଆ ସ୍ବାଭିମାନ ଦିବସ ପାଳିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଅଗ୍ରଣୀ ଓଡ଼ିଆ ସଂଗଠନ ଓଡ଼ିଶା ଫୋରମ୍, ଦି ଇଣ୍ଟେଲେକ୍ଟସ୍, ଇପ୍ରୋଜ୍ ଓ ନୀଳାଚଳ ସେବାସଂଘର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜନ୍ମ ତିଥିକୁ ଓଡ଼ିଆ ସ୍ବାଭିମାନ ଦିବସ ଭାବେ ଗତକାଲି କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ସଭାଗୃହରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଦାସ ବେନହୁର ମଧୁବାବୁଙ୍କ ଜୀବନ ଦର୍ଶନ ଉପରେ ବିଷଦ ଭାବରେ ଆଲୋକପାତ କରି କହିଥିଲେ ଯେ ମଧୁସୂଦନ ଦାସ ହେଉଛନ୍ତି ଉତ୍କଳୀୟ ସ୍ବାଭିମାନର ଯଥାର୍ଥ ପ୍ରତୀକ । ଓଡ଼ିଶା ଫୋରମ୍‌ର ସଭାପତି ଶ୍ରୀ ଗୋକୁଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ବକ୍ତାଙ୍କ ମଧ୍ୟରେ ଡକ୍ଟର ଭଗବାନ ପ୍ରକାଶ, ପ୍ରଫେସର ମନୋରଞ୍ଜନ ମହାନ୍ତି, ପ୍ରତିଭା ପଟ୍ଟନାୟକ ମଧୁବାବୁଙ୍କ ଜୀବନର ବିଭିନ୍ନ ଦିଗ ବିଷୟରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ, ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ଦେବୀ ପ୍ରସାଦ ବାଗଚି ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟାନନ୍ଦ ମିଶ୍ର, ଦେବଦାସ ଛୋଟରାୟ, ଅରବିନ୍ଦ ପାଢୀ, ଡକ୍ଟର ମାନରଞ୍ଜନ ମହାପାତ୍ର, ସିଦ୍ଧାନ୍ତ ଦାସ, ସସ୍ମିତା ଦାସ, ବିରଜା ମହାପାତ୍ର, ଯଶୋଧାରା ମିଶ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ମଧୁବାବୁଙ୍କ ଉପରେ ଏକ ପ୍ରାମାଣିକ ଚିତ୍ର ପଦର୍ଶିତ ହୋଇଥିଲା। ମଧୁବାବୁଙ୍କ ନାମରେ ରାଷ୍ଟ୍ରୀୟ ରାଜଧାନୀରେ ଏକ ମୁଖ୍ୟରାସ୍ତାକୁ ନାମିତ କରିବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ଦ୍ବାରା ଦାବି କରାଯାଇଥିଲା। ଦି ଇ‌େଣ୍ଟଲେକ୍ଟସ୍ ଅଧ୍ୟକ୍ଷ ତଥା ସମାରୋହର ଆବାହକ ଦେବେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର