ଓସାମା ବିନ୍‌ ଲାଦେନ୍‌କୁ ଆମେରିକାର ସିଆଇଏ ହାତରେ ଧରା ପକାଇଥିବା ପାକିସ୍ତାନୀ ଡାକ୍ତର ସକିଲ୍‌ ଆଫ୍ରିଦି ପାକିସ୍ତାନ ଜେଲ ଭିତରେ ବସିଲେ ଅନଶନରେ

ଇସ୍‌ଲାମାବାଦ: ଆତଙ୍କର ସୌଦାଗର ତଥା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦାର ମୁଖିଆ ଓସାମା ବିନ୍‌ ଲାଦେନ୍‌କୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ହାତରେ ଧରା ପକାଇ ମୃତ୍ୟୁମୁହଁକୁ ପଠାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାକିସ୍ତାନୀ ଡାକ୍ତର ସକିଲ୍‌ ଆଫ୍ରିଦି ଆଜି (ସୋମବାର)ଠାରୁ ପାକିସ୍ତାନ ଜେଲ ଭିତରେ ଅନଶନ ଆରମ୍ଭ କରିଛନ୍ତି। ଏହି ସୂଚନା ଆଜି ଗଣମାଧ୍ୟମକୁ ଡାକ୍ତର ସକିଲ୍‌ ଆଫ୍ରିଦିଙ୍କ ଓକିଲ କମର୍‌ ନଦିମ୍‌ ଓ ତାଙ୍କର ସାନଭାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦାର ମୁଖିଆ ଓସାମା ବିନ୍‌ ଲାଦେନ୍‌ ୨୦୧୧ରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ହାତରେ ଧରା ପଡ଼ି ନିହତ ହେବା ଘଟଣାରେ ବିଚଳିତ ଓ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ସରକାର ଏକ ମିଥ୍ୟା ଆରୋପରେ ଡାକ୍ତର ସକିଲ୍‌ ଆଫ୍ରିଦିଙ୍କୁ ଗରଫ କରି ୩୩ ବର୍ଷ ପାଇଁ କାରାଦଣ୍ଡର ଆଦେଶ ଶୁଣାଇ ଥିଲା। ପରେ ଅବଶ୍ୟ ତାଙ୍କର କାରାଦଣ୍ଡର ଅବଧିକୁ ୧୦ ବର୍ଷ କମାଇଥିଲେ ପାକିସ୍ତାନ ସରକାର।

CTV News

ହେଲେ, ଡାକ୍ତର ସକିଲ୍‌ ଆଫ୍ରିଦିଙ୍କୁ ପାକିସ୍ତାନ ସରକାର ପ୍ରତିଶୋଧ ପରାୟଣ ହୋଇ ବନ୍ଦୀ କରିଛନ୍ତି ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା କହିବା ପରେ ଆଫ୍ରିଦିଙ୍କୁ ଜେଲରୁ ମୁକ୍ତ କରିଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତ୍‌ୁ, ଆଫ୍ରିଦିଙ୍କୁ ଜେଲରୁ ମୁକ୍ତ କରିଦେବା ବଦଳରେ ପାକିସ୍ତାନ ସରକାର ଏବେ ତାଙ୍କୁ ତାଙ୍କର ଓକିଲଙ୍କୁ ଭେଟିବା ପାଇଁ ଅନୁମତି ଦେଉ ନାହାନ୍ତି ଏବଂ ଅଧିକ ମାତ୍ରାରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ଯାହାର ପ୍ରତିବାଦରେ ଡାକ୍ତର ସକିଲ୍‌ ଆଫ୍ରିଦି ଆଜିଠାରୁ ପାକିସ୍ତାନ ଜେଲ ଭିତରେ ଅନଶନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର