ପାକ୍‌ ଟାର୍ଗେଟ୍‌ରେ ସୀମାନ୍ତ ଗ୍ରାମ : ବହୁ ଘର ଧ୍ବସ୍ତ, ସେନାର କଡ଼ା ଜବାବ

କଶ୍ମୀର ମାମଲାରେ ପାକ୍ ଏକ ଘରିଆ

ଜମ୍ମୁ : ପାକିସ୍ତାନ ସେନା ଆଜି ଭୋର୍‌ ସମୟରୁ ନିୟନ୍ତ୍ରଣ ରେଖା ଅଂଚଳର ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ବର୍ଷା ଜାରି ରଖିଛି। ରାଜୌରି ଜିଲ୍ଲାରେ ପ୍ରାୟ ୨୦ଟି ଗ୍ରାମକୁ ପାକିସ୍ତାନୀ ସେନା ଟାର୍ଗେଟ୍‌ କରି ଗୋଳା ମାଡ଼ କରିବା ପରେ ଅନେକ ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି ଏବଂ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଲୋକେ ଭୟରେ ଘର ଛାଡ଼ି ବଙ୍କରରେ ଆଶ୍ରୟ ନେଉଛନ୍ତି କିମ୍ବା ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି। ପାକିସ୍ତାନ ସେନା ଜନବସତିଗୁଡ଼ିକୁ ଟାର୍ଗେଟ୍‌ କରୁଥିବାରୁ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ପାକିସ୍ତାନୀ ପୋଷ୍ଟ ଧ୍ବସ୍ତ ହୋଇଥିବା ଖବର ମିଳିଛି। ପାକ୍‌ ଗୋଳା ବର୍ଷାରେ ଆଜି ସର୍ବାଧିକ କ୍ଷତିଗସ୍ତ ହୋଇଛି ଦିଇଙ୍ଗ୍‌ ଏବଂ କଲାଲ ଗ୍ରାମ। ସମସ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୁନ୍ଦରବନୀ ଏବଂ ନୌସେରା ସେକ୍ଟରରେ ମଧ୍ୟ ଆଜି ପୂର୍ବାହ୍ନ ୧୦ଟାରୁ ୪୦ରୁ ଅଧିକ ସ୍ଥାନକୁ ପାକିସ୍ତାନ ଟାର୍ଗେଟ୍‌ କରିଥିଲା। ତେବେ ଏହି ଗୁଳିବର୍ଷାରେ କେହି ମୃତାହତ ହୋଇଥିବା ଖବର ନାହିଁ। ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଏଭଳି ଗୁଳି ବର୍ଷା କରୁଥିବାରୁ ସୀମା ସ୍ଥିତି ନେଇ ଏବେ ଉପଗ୍ରହ ସହାୟତାରେ ମଧ୍ୟ ଅହରହ ନଜର ରଖାଯାଉଛି। ପ୍ରାୟ ୨୫୦ ଆତଙ୍କବାଦୀ ଏବେ ଭାରତରେ ପଶିବାକୁ ପିଓକେରେ ପ୍ରସ୍ତୁତ ହୋଇ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରେ କେତେକ ଅନୁପ୍ରବେଶ କରିସାରିଥିବା ମଧ୍ୟ କୁହାଯାଉଛି। କଶ୍ମୀରରେ ହିଂସା ଘଟାଇବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା ବେଳେ ଏହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ବାହିନୀ ବ୍ୟାପକ ସତର୍କତା ଅବଲମ୍ବନ କରିଛି।

କଶ୍ମୀର ମାମଲାରେ ପାକ୍ ଏକ ଘରିଆ

ନୂଆଦିଲ୍ଲୀ : ‌ପାକିସ୍ତାନର ସମସ୍ତ ଷଡ଼ଯନ୍ତ୍ର ସତ୍ତ୍ବେ କଶ୍ମୀର ପ୍ରସଙ୍ଗରେ ସମଗ୍ର ବିଶ୍ବ ଭାରତ ସହିତ ରହିଛି। ଏହି ମାମଲାରେ ପାକିସ୍ତାନ ଏକଘରିଆ ହୋଇଯାଇଛି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଜାତିସଂଘ ସମେତ ଅନେକ ସଂସ୍ଥା ଏବଂ ଦେଶର ଦ୍ବାରରେ ପହଞ୍ଚିଛି। କିନ୍ତୁ ସମଗ୍ର ବିଶ୍ବ ଭାରତ ସହିତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ମୋଦୀ ୨.୦ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସରକାରଙ୍କ ୧୦୦ ଦିନର ବଳିଷ୍ଠ ପଦକ୍ଷେପ ସମ୍ପର୍କିତ ଏକ ପୁସ୍ତକକୁ ଉନ୍ମୋଚନ ଜାଭଡେକର ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର