ବିଶ୍ୱବିଦ୍ୟାଳୟ ଖୋଲି ଭୁଲିଗଲେ : ସ୍ୱପ୍ନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥିତି ବିି ସାଂଘାତିକ

ମାଡ଼ି ବସିଛି ସଂସ୍କୃତି ବିଭାଗ, ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଯାଉନି ବିଶ୍ବବିଦ୍ୟାଳୟ

ନୂଆ କ୍ୟାମ୍ପସ୍ ଅଧାପନ୍ତରିଆ, ହଷ୍ଟେଲ୍‌ରେ ପାଠପଢ଼ା

ନିଯୁକ୍ତି ନାହିଁ, ଛାତ୍ରଛାତ୍ରୀଙ୍କୁ ଅତିଥି ଅଧ୍ୟାପକ ଭରସା

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ସ୍ବପ୍ନ ଦେଖାଇ ଭୁଲିଗଲେ ରାଜ୍ୟ ସରକାର। ଓଡ଼ିଆ ବିଶ୍ବବିଦ୍ୟାଳୟ ଗତବର୍ଷ ଯେଉଁଠି ଥିଲା, ବର୍ଷପରେ ପାଖାପାଖି ସେଇଠି ରହିଛି। ପାଠପଢା ତ ଦୂରର କଥା, ପାଚେରି ବି ଉଠିଲାନି।

ଓଡ଼ିଆ ବିଶ୍ବବିଦ୍ୟାଳୟ ବି ଏତେ ଶୀଘ୍ର କେମିତି ହେବ? ୨୦ ବର୍ଷ ତଳେ ଓଡ଼ିଶାରେ ଜନ୍ମ େନଇଥିବା ସଂସ୍କୃତି ବିଶ୍ବବିଦ୍ୟାଳୟକୁ ରାଜ୍ୟ ସରକାର ଏଯାଏ ବ୍ୟବସ୍ଥିତ କରିପାରିଲେ ନାହିଁ। ମନ୍ତ୍ରୀ ପରେ ମନ୍ତ୍ରୀ ଯାଉଛନ୍ତି। ବିଭିନ୍ନ ସମୟରେ ଦାୟିତ୍ବରେ ଥିବା ସଂସ୍କୃତି ସଚିବମାନଙ୍କୁ ମିଶାଇ ଇତିମଧ୍ୟରେ ୧୨ କୁଳପତି ବଦଳିଲେଣି। ବର୍ତମାନର କୁଳପତି (୧୩ତମ) ପ୍ରଫେସର କମଳକାନ୍ତ ମିଶ୍ରଙ୍କ କାର୍ଯ୍ୟକାଳ ମଧ୍ୟ ଏହି ସପ୍ତାହରେ ସରିବ। ଅଥଚ ଏ ବିଶ୍ବବିଦ୍ୟାଳୟଟିର ଭାଗ୍ୟ ଫିଟିପାରୁନାହିଁ।

ସବୁଠାରୁ କୌତୂହଳର କଥା ହେଉଛି, ଶିକ୍ଷା ସହିତ ଆଦୌ ନେଣଦେଣ ନ ଥିବା ସଂସ୍କୃତି ବିଭାଗ ଏହି ବିଶ୍ବବିଦ୍ୟାଳୟ ପରିଚାଳନା କରୁଛନ୍ତି। ଦୁଇ ଦଶନ୍ଧିର ବିଫଳତା ପରେ ବିଭାଗୀୟ କର୍ତୃପକ୍ଷ ନିଜ ଆଡୁ ଏହି ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ େନବା ଲାଗି ଆଗ୍ରହ ଦେଖାଉନାହାନ୍ତି। ସେପଟେ ଉଚ୍ଚଶିକ୍ଷା ବିଭାଗ ବି ଏହାକୁ ନିଜ ଅଧୀନକୁ େନବା ଲାଗି ଥରୁଟିଏ ବି ଉଦ୍ୟମ କରିନାହିଁ। ଏ ବିଶ୍ବବିଦ୍ୟାଳୟ ଏମିତି ସମୟରେ ଜନ୍ମ େନଇଛି, ଯାହା ପାଇଁ ସରକାରୀ ଦରଦ ବି ପରିଲକ୍ଷିତ େହଉନାହିଁ।

ଉଲ୍ଲେଖଯୋଗ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ଦକ୍ଷ ପ୍ରତିଭା ନିର୍ମାଣର ଲକ୍ଷ୍ୟ ନେଇ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପରିକଳ୍ପନା କରାଯାଇଥିଲା। ଏସିଆର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ କହି ସେ ସମୟରେ ବାଃବାଃ ନେବାରେ ସରକାର ଉଣା କରିନଥିଲେ। ନିଜସ୍ବ େକାଠାକୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଆସିବା

ଲାଗି ପାଖାପାଖି ୧୭ ବର୍ଷ ଲାଗିଗଲା। ୨୦୧୬ ମସିହା ନଭେମ୍ବର ମାସରୁ ‌ନୂଆ ପରିସରକୁ ବିଶ୍ବବିଦ୍ୟାଳୟ ଆସିଲାଣି, କିନ୍ତୁ ପୂର୍ଣ୍ଣାଙ୍ଗ ନୁେହଁ। ସ୍ଥାନ ଅଭାବ କାରଣରୁ େହଉ ବା କିଛି ବାବୁଙ୍କ ରାଜଧାନୀ ଭିତରେ କାର୍ଯ୍ୟ କରିବା ମାତ୍ରାଧିକ ଆଗ୍ରହ କାରଣରୁ ‘ଜୈନ ଧର୍ମ ଓ ଦର୍ଶନ’ ଏବଂ ‘ତାମିଲ୍‌ ଭାଷା’ ପାଠ୍ୟକ୍ରମ ଆଜି ବି ପୁରୁଣା ସର୍ଦାର ପଟେଲ୍‌ କମ୍ପ୍ଲେକ୍ସ ପରିସରରେ ଚାଲିଛି।

ସେପଟେ ନୂଆ କ୍ୟାମ୍ପସକୁ େଯଉଁମାନେ ଯାଇଛନ୍ତି, ତାଙ୍କ କଥା ନ କହିବା ଭଲ। ଅଧା ଛାତ୍ରଛାତ୍ରୀଙ୍କୁ ପଢ଼ିବା ପାଇଁ ଶ୍ରେଣୀଗୃହ ନାହିଁ। ଦୀର୍ଘ ୩ ବର୍ଷ ହେବ ଅର୍ଧାଧିକ ପିଲା ହଷ୍ଟେଲ୍‌ରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ପାଇଁ େଯଉଁ ନକ୍ସା ପ୍ରସ୍ତୁତ କରିଛନ୍ତି, େସଥିେର ଶ୍ରେଣୀଗୃହ ପାଇଁ ୫ଟି ଏକାଡେମିକ୍‌ ବ୍ଲକ୍‌ ନିର୍ମିତ ହୋଇଛି। ୩ଟି ସମ୍ପୂର୍ଣ୍ଣ ହୋଇନାହିଁ। କେହି ତନାଘନା କରୁନାହାନ୍ତି। ବାକି ୨ଟି ୬ ମାସ ତଳୁ ସମ୍ପୂର୍ଣ୍ଣ ହୋଇଗଲାଣି। ଏହି ଏକାଡେମିକ୍‌ ବ୍ଲକ୍‌କୁ ଯାଞ୍ଚ ପରେ ଛାତ୍ରଛାତ୍ରୀ ସେଠାରେ ପଢ଼ିବାର ସୁଯୋଗ ପାଇବେ। ବୈଷୟିକ କମିଟି ଗଠନ ହୋଇଛି। ହେଲେ ଯାଞ୍ଚ କରାଯାଉନି। ଏ ସଂକ୍ରାନ୍ତରେ େଯତେବେଳେ ବି ବୈଠକ ଡକାଯାଉଛି, ତଳିଆ ଅଧିକାରୀମାନେ ଆସୁଛନ୍ତି। ଏଣୁ େଠାସ୍ ନିଷ୍ପତ୍ତି କିଛି ନିଆଯାଇପାରୁନାହିଁ।

କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରି ବୁଲିପାରିଲା ନାହିଁ। ମୁଖ୍ୟ ଫାଟକ ଦେଇ ସାଧାରଣ ଲୋକଙ୍କ ଯା-ଆସ କରୁଛନ୍ତି। ଛାତ୍ରୀମାନଙ୍କ ପାଇଁ ଗୋଟିଏ ହଷ୍ଟେଲ୍‌ ରହିଛି, ସେଥିରେ ବି ନିରାପତ୍ତା ବିପନ୍ନ। ଯଥେଷ୍ଟ ଜାଗା ଥିଲେ ବି ପାଠାଗାର ପାଇଁ କୌଣସି ନିର୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇପାରିନାହିଁ। ତେଣୁ ୨ ବର୍ଷ ହେବ ପାଠାଗାରକୁ ନୂଆ ବହି ‌ଖଣ୍ଡେ ଆସିପାରିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ସଂପ୍ରତି ୫ଶହ ପିଲା ଅଧ୍ୟୟନରତ ଅଛନ୍ତି। ଗୋଟେ ବିଭାଗ ପାଇଁ ୬ ଜଣ ଅଧ୍ୟାପକ ରହିବା ନିୟମ ରହିଛି। ଏହା ବି ହୋଇପାରିନାହିଁ। ୯ ଜଣ ନିୟମିତ ଅଧ୍ୟାପକ ଅଛନ୍ତି। ବାକି ୩୦ ଜଣ ଅତିଥି ଅଧ୍ୟାପକଙ୍କୁ େନଇ କାମଚଳା ପାଠପଢା ଚାଲିଛି। ନିଯୁକ୍ତି ପାଇଁ ତିନି ତିନି ଥର ବିଜ୍ଞପ୍ତି ହେଲାଣି। କାହାର ନା କାହାର ସ୍ବାର୍ଥ ଲାଗି ଏହା କାଗଜପତ୍ରରେ ରହିଯାଇଛି। ଟେକ୍ସଟାଇଲ୍‌ ଓ ଆନିମେସନ୍‌ ଭଳି ବିଭାଗରେ ଚଳିତ ବର୍ଷ ନାମଲେଖା ହୋଇନାହିଁ। ତେଣୁ ସେଇ ବିଭାଗ ଦୁଇଟି ପୁନଃ ଖୋଲିବ ନା ନାହିଁ ତାହା ବି କହିବା ମୁସ୍କିଲ୍।

ସରକାର ସିନା ୨୦ କିଲୋମିଟର ଦୂରକୁ ନୂଆ କ୍ୟାମ୍ପସ ସ୍ଥାନାନ୍ତର କରିଦେଲେ, ମାତ୍ର ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ବ୍ୟବସ୍ଥା ଏପର୍ଯ୍ୟନ୍ତ କଲେ ନାହିଁ। ଆଗରୁ ଗୋଟିଏ ବସ୍‌ ୨ ସିଫ୍ଟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିଲା। ଏବେ ଏହା ଗୋଟେ ସିଫ୍‌ଟରେ ଚାଲୁଛି। ଏଠାକୁ କୌଣସି ସିଟି ବସ୍‌ର ମଧ୍ୟ ସଂଯୋଗ ନାହିଁ। ସଂସ୍କୃତି ବିଭାଗର ପ୍ରୋତ୍ସାହନ ଓ ଆନ୍ତରିକତା ଅଭାବରୁ ବିଶ୍ବବିଦ୍ୟାଳୟ ୟୁଜିସି ୧୨(ବି)ରେ ବି ସାମିଲ୍‌ ହୋଇପାରୁନାହିଁ। ଫଳରେ ଅନୁଦାନ ମିଳୁନି।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଏଇ ମାସ ୧୦ ତାରିଖରେ ବୈଷୟିକ କମିଟି ବୈଠକ ବସି ବିଲ୍‌ଡିଂ ଯାଞ୍ଚ କରି ୨ଟି ବ୍ଲକ୍‌ ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରିବ। ସେହିଭଳି କୋର୍ଟରେ ମାମଲା ଥିବାରୁ ଅଧ୍ୟାପକ ନିଯୁକ୍ତି ହୋଇପାରୁନାହାନ୍ତି।

ସମ୍ବନ୍ଧିତ ଖବର