ପାକିସ୍ତାନ ସ୍ଥିତି ସାଂଘାତିକ: ବିଲାୱାଲ ବି ଗାଳିଦେଲେଣି

ଇସଲାମାବାଦ: ପାକିସ୍ତାନ ସମ୍ପ୍ରତି ଅନେକ ସମସ୍ୟାର ଝଡ଼ ଦେଇ ଗତି କରୁଛି। ତା’ ଭିତରେ ରହିଛି ଅର୍ଥନୈତିକ ସଂକଟ, ପ୍ରଳୟଙ୍କରୀ ବନ୍ୟାର ପରିଣାମ ଏବଂ ଆତଙ୍କବାଦ, ଯାହା ଆଫଗାନିସ୍ତାନକୁ ତାଲିବାନମାନେ ଦଖଲ କରିବା ପରେ ବୃଦ୍ଧି ପାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଏକ ସାକ୍ଷାତକାରରେ ଦେଶର ଆର୍ଥିକ ସଂକଟ ବିଷୟରେ ଆଲୋଚନା କଲାବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)କୁ ସମାଲୋଚନା କରିଛନ୍ତି। ୨୦୧୯ର ସର୍ତ୍ତ ପୂରଣ କରି ନ ଥିବା ଆଳ ଦେଖାଇ ପାକିସ୍ତାନକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ଆଇଏମ୍‌ଏଫ୍‌ ୬୦୦ କୋଟି ଡଲାରର ପ୍ୟାକେଜ ଦେବାରେ ବିଳମ୍ବ କରୁଥିବା ସେ ଅଭିଯୋଗ କରିଛନ୍ତି ଏବଂ ପାକିସ୍ତାନର ଉକ୍ତ ସର୍ତ୍ତ ପୂରଣରେ ବିଫଳତା ପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଦାୟୀ କରିଛନ୍ତି। ଆଇଏମ୍‌ଏଫ୍ ବର୍ତ୍ତମାନ ପାକିସ୍ତାନକୁ କେତେକ ନୂଆ ନିର୍ଦ୍ଦେଶାବଳି ଜାରି କରିଛି।

ବିଲାୱାଲ କହିଲେ ଯେ, ତାଙ୍କ ଦଳ ରାଜସ୍ବ ସଂଗ୍ରହ ବୃଦ୍ଧି ଉପରେ ଗୁରୁତ୍ବ ଦେଉଛି। ଯେଉଁମାନେ ସ୍ବଚ୍ଛଳ ସେମାନେ ଅଧିକ ଟିକସ ଦେବା ଉଚିତ। ସେ କହିଥିଲେ ଯେ, ଆଇଏମ୍‌ଏଫ୍‌ ପାକିସ୍ତାନ ପ୍ରତି ଅବିଚାର କରୁଛି। ବନ୍ୟା-ବିଧୌତ ଦେଶର ସର୍ବହରା ଗରିବରୁ ଗରିବ ଲୋକକୁ ଥଇଥାନ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ଆଇଏମ୍‌ଏଫ୍‌ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ବିଲାୱାଲ ଅଭିଯୋଗ କରିଛନ୍ତି। ଚୀନ୍ ସହ ସମ୍ପର୍କ ଭଲ ଥିବାରୁ ଏହି ଦେଶ ଆଉ ୧.୩ ବିଲିୟନ ଡଲାରର ଋଣ ମଞ୍ଜୁର କରିଛି ବୋଲି ବିଲାୱାଲ କହିଛନ୍ତି।

ସମ୍ବନ୍ଧିତ ଖବର