ଶିକାରକୁ ବାହାରିଥିବା ମାଲିକଙ୍କୁ ଗୁଳି ମାରି ହତ୍ୟା କଲା ପୋଷା କୁକୁର !

ୱାସିଂଟନ୍‌: ଗତ ସପ୍ତାହାନ୍ତରେ ଶିକାର କରିବାକୁ ଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ଗୋଟାଏ କୁକୁର ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।

କେନ୍ଦ୍ରୀୟ ଆମେରିକୀୟ ରାଜ୍ୟ କାନ୍‌ସାସ୍‌ ପୁଲିସ କହିବା ଅନୁସାରେ, ଶନିବାର ଦିନ ଗୋଟାଏ ପିକ୍‌-ଅପ୍‌ ଟ୍ରକ୍‌ରେ ଜଣେ ବ୍ୟକ୍ତି ଓ ତାଙ୍କର ପୋଷା କୁକୁର ଶିକାର ଅନ୍ବେଷଣରେ ବାହାରିଥିଲେ। ବ୍ୟକ୍ତିଜଣକ ଟ୍ରକ୍‌ର ସାମନା‌ ପଟରେ ଯାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ସିଟ୍‌ରେ ବସିଥିଲେ। ପଛ ସିଟ୍‌ରେ ରଖାଯାଇଥିଲା ଗୁଳିଭରା ବନ୍ଧୁକ। ଆକସ୍ମିକ ଭାବେ ପୋଷା କୁକୁରଟି ବନ୍ଧୁକ ଉପରେ ଚଢ଼ି ଯିବାରୁ ବନ୍ଧୁକର ଟ୍ରିଗର୍‌ ଚାପି ହୋଇ ଗୁଳି ଫୁଟିଥିଲା। ଗୁଳି ସିଧା ଯାଇ ଆଗ ସିଟ୍‌ରେ ବସିଥିବା ମାଲିକଙ୍କ ଦେହରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସମର୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ କହିଛି, ତଦନ୍ତ ଚାଲିଛି। ଏହା ଶିକାର ସମ୍ବନ୍ଧୀୟ ଘଟଣା ବୋଲି ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳୁଛି। କିନ୍ତୁ, କୁକୁରଟି ଯେ, ମୃତ ୩୦ ବର୍ଷିୟ ବ୍ୟକ୍ତିଙ୍କର ପୋଷା, ସେ କଥା ସରକାରୀ ଅଧିକାରୀମାନେ କହିନାହାନ୍ତି।

ସୂଚନାଯୋଗ୍ୟ, ଜନତାଙ୍କ ଅପେକ୍ଷା ବନ୍ଧୁକ ସଂଖ୍ୟା ଅଧିକ ଥିବା ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଆକସ୍ମିକ ଗୁଳିକାଣ୍ଡ ଘଟଣା ସାଧାରଣ ହୋଇଗଲାଣି। ୨୦୨୧ରେ ବନ୍ଧୁକରୁ ଆକସ୍ମିକ ଗୁଳିଫୁଟିବା ଘଟଣାରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ‘ୟୁଏସ୍‌ ସେ‌ଣ୍ଟର୍‌ସ୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ କହିଛି।

ସମ୍ବନ୍ଧିତ ଖବର