ମୋଦୀଙ୍କ ପ୍ରତି ପାକ୍‌ ମନ୍ତ୍ରୀ ଭୁଟ୍ଟୋଙ୍କ ଅସଭ୍ୟ ଟିପ୍ପଣୀ, ପାକ୍‌ ହାଇକମିସନ ସମ୍ମୁଖରେ ବିକ୍ଷୋଭ

ନୂଆଦିଲ୍ଲୀ : ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଉପରେ ଭାରତ ଆଜି ପ୍ରବଳ ବର୍ଷିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ନିଶାଣ କରି ପାକିସ୍ତାନ ବିଦେଶ ମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଇଛନ୍ତି ଭାରତ ସେ ନେଇ କଡ଼ା ପ୍ରତିକ୍ରିୟା ରଖିଛି। ଭାରତ କହିଛି ବିଲାୱଲ ଭୁଟ୍ଟୋ ଯେଭଳି ଟିପ୍ପଣୀ ଦେଇଛନ୍ତି ତାହା ଅତ୍ୟନ୍ତ ଅସଭ୍ୟ ଏବଂ ଏହା ପାକିସ୍ତାନର କୁତ୍ସିତ ମାନସିକତାକୁ ପଦାରେ ପକାଇ ଦେଇଛି। ପାକିସ୍ତାନ ‌ହେଉଛି ଏଭଳି ଏକ ରାଷ୍ଟ୍ର ଯାହା ଓସାମା ବିନ ଲାଡେନ ଭଳି ଆତଙ୍କବାଦୀକୁ ସହିଦ ସମ୍ମାନ ଦେଉଛି।  ଲାଖ୍‌ଭି, ହାଫିଜ ସୟିଦ, ମସୁଦ ଆଝାର, ସାଜିଦ ମିର ଏବଂ ଦାଉଦ ଇବ୍ରାହିମ ପରି ଆତଙ୍କବାଦୀଙ୍କୁ ଏହା ଆଶ୍ରୟ ଦେଇଛି। ଅନ୍ୟ କୌଣସି ରାଷ୍ଟ୍ର ଏକାବେଳେ ଜାତିସଂଘ ଦ୍ବାରା ଘୋଷିତ ୧୨୭ ଆତଙ୍କବାଦୀ ଏବଂ ଜାତିସଂଘ ଦ୍ବାରା ଘୋଷିତ ୨୭ଟି ଆତଙ୍କବାଦୀ ସଂସ୍ଥାନକୁ ଏଭଳି ଆଶ୍ରୟ ଏବଂ ପ୍ରଶ୍ରୟ ଦେଇନାହାନ୍ତି।

ଭାରତ କହିଛି, ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବର ଗୁଳିରୁ ପ୍ରାୟ ୨୦ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଜଣେ ମୁମ୍ବାଇ ନର୍ସ ଅଞ୍ଜଳି କୁଲ୍‌ଥେ ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ ଯେଉଁ ମତ ରଖିଥିଲେ ପାକିସ୍ତାନ ବିଦେଶ ମନ୍ତ୍ରୀ ସେହି ମତକୁ ଧ୍ୟାନଦେଇ ଶୁଣିବା ଦରକାର ଥିଲା। ପାକିସ୍ତାନ ବିଦେଶ ମନ୍ତ୍ରୀ ନିଜ ରାଷ୍ଟ୍ରର ଘୃଣ୍ୟ କାର୍ଯ୍ୟକୁ ନେଇ ଅଧିକ ଉତ୍ସାହ ଦେଖାଇଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ପାକିସ୍ତାନକୁ ନିଜର ମାନସିକତା ବଦଳାଇବାକୁ ପଡ଼ିବ ନଚେତ ବର୍ଜ୍ୟ ଓ ଘୃଣ୍ୟ ହୋଇ ରହିବ‌ାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅତ୍ୟନ୍ତ ଅପମାନଜନକ ଟିପ୍ପଣୀ ଦେଇ କହିଥିଲେ, ମୁଁ ଭାରତକୁ ଏହା କହିବାକୁ ଚାହୁଛି ଯେ ଓସାମା ବିନ ଲାଡେନ ମରିଯାଇଛନ୍ତି କିନ୍ତୁ ଗୁଜରାଟର କଂ‌ସେଇ ଏବେ ବି ବଞ୍ଚିଛନ୍ତି ଏବଂ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ଭୁଟ୍ଟୋଙ୍କ ଟିପ୍ପଣୀକୁ କଡ଼ା ନିନ୍ଦା କରି ଭାରତ କହିଛି ଭୁଟ୍ଟୋ ମାନସିକ ଭାବେ ଦେବାଳିଆ ଏବଂ ଦାୟିତ୍ବହୀନ। କନିଷ୍ଠ ବିଦେଶ ମନ୍ତ୍ରୀ ମୀନାକ୍ଷି ଲେଖି କହିଛନ୍ତି, ପାକିସ୍ତାନ ବିଦେଶ ମନ୍ତ୍ରୀ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା କେବଳ ସେ ଜଣେ ଦେବାଳିଆ ରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଛନ୍ତି ବୋଲି ଦେଖାଇନି ବରଂ ତାଙ୍କର ଦେବାଳିଆ ମାନସିକତା ମଧ୍ୟ ପଦାରେ ପଡ଼ିଯାଇଛି। ଲେଖି କହିଛନ୍ତି, ବିଲାୱଲ ଭୁଟ୍ଟୋ ଏକ ବିଫଳ ରାଷ୍ଟ୍ରର ପ୍ରତିନିଧି ଏବଂ ସେ ନିଜେ ମଧ୍ୟ ବିଫଳ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଟିପ୍ପଣୀକୁ ‘ଲଜ୍ଜାଜନକ’ କହିଛନ୍ତି। ଅନୁରାଗ କହିଛନ୍ତି, ସେମାନେ ଏବେ ବି ୧୯୭୧ ର ଯନ୍ତ୍ରଣାକୁ ଭୁଲି ପାରିନାହାନ୍ତି। ୯୩ ହଜାରରୁ ଅଧିକ ପାକିସ୍ତାନୀ ସୈନିକ ସେଦିନ ଭାରତ ପାଖରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଜେଜେବାପା ଜୁଲଫିକର ଅଲି ଭୁଟ୍ଟୋ (ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି) ସେମାନେ ହାରିଯିବା ସମୟରେ କାନ୍ଦି ପକାଇଥିଲେ ବୋଲି ଠାକୁର ସାମ୍ବାଦିକମାନଙ୍କୁ କହିଛନ୍ତି। ପାକିସ୍ତାନର ବୟାନକୁ ବିରୋଧ କରି ଆଜି ଦିଲ୍ଲୀରେ ପାକ୍‌ ହାଇକମିସନର୍‌ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସମ୍ବନ୍ଧିତ ଖବର