ପଞ୍ଜାବ ‘ଆପ୍‌’ ବିଧାୟିକାଙ୍କୁ ସ୍ବାମୀ ଚଟକଣା ମାରୁଥିବା ଭିଡିଓ ଭାଇରାଲ୍‌; ନିଜ ଆଡୁ ନୋଟିସ୍‌ ଜାରି କରିବ ରାଜ୍ୟ ମହିଳା କମିସନ୍‌

ଚଣ୍ଡୀଗଡ଼: ପଞ୍ଜାବ ‘ଆପ୍‌’ର ବିଧାୟିକା ବଲ୍‌ଜିନ୍ଦର୍‌ କୌର୍‌ଙ୍କୁ ତାଙ୍କ ସ୍ବାମୀ ଚଟକଣା ମାରୁଥିବାର ଭିଡିଓ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ରାଜ୍ୟ ମହିଳା କମିସନ୍‌ ନିଜଆଡୁ ନୋଟିସ୍‌ ଜାରି କରିବ ବୋଲି କହିଛି।

ଜୁଲାଇ ୧୦ ତାରିଖର ଉକ୍ତ ୫୦ ସେକେଣ୍ଡ୍‌ ଭିଡିଓରେ ଦେଖାଯାଉଛି, କୌଣସି ଏକ କାରଣରୁ ଯୁକ୍ତିତର୍କ ହେବା ପରେ କୌର୍‌ଙ୍କୁ ତାଙ୍କ ସ୍ବାମୀ ଚଟକଣା ମାରୁଛନ୍ତି। ଭିଡିଓଟି ତଲ୍‌ୱାଣ୍ଡି ସାବୋରେ ଥିବା ବିଧାୟିକାଙ୍କ ବାସଭବନ ବାହାରେ ଲାଗିଥିବା ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଥିଲା।

ଏହି ଭିଡିଓ କିଏ ଲିକ୍‌ କଲା ଏବଂ କାହିଁକି ଏ ଭଳି ଘଟଣା ଘଟିଥିଲା ସେ ସଂକ୍ରାନ୍ତରେ କିଛି ନ ଜାଣିଥିବା କଥା ପୁଲିସ କହିଛି। ଏହି ଘଟଣା ସଂକ୍ରାନ୍ତରେ କୌଣସି ଔପଚାରିକ ଅଭିଯୋଗ ମଧ୍ୟ ଦାଏର ହୋଇ ନ ଥିବା କଥା ପୁଲିସ କହିଛି।

ଭିଡିଓ କ୍ଲିପ୍‌ରେ ଥିବା ଦୃଶ୍ୟଟି ଏମିତି: ଯୁକ୍ତିତର୍କ କରି ତାଲୱାଣ୍ଡି ସବୋରେ ଦ୍ବିତୀୟ ବାର ବିଧାୟିକା ହୋଇଥିବା ବଲ୍‌ଜିନ୍ଦର୍‌ କୌର୍‌ ସ୍ବାମୀ ସୁଖରାଜ ସିଂହଙ୍କ ଆଗକୁ ଯାଉଛନ୍ତି। ରାଗିଯାଇ ସ୍ବାମୀ ସୁଖରାଜ ବସିଥିବା ଆସନରୁ ଉଠି ଆସି ବିଧାୟିକା ପତ୍ନୀଙ୍କୁ ଚଟକଣା ମାରୁଛନ୍ତି। ସେଠାରେ ଉପସ୍ଥିତ କେତେକ ଲୋକ ଏଥିରେ ବାଧା ଦେଇ ସିଂହଙ୍କୁ ଠେଲି ଠେଲି ଦୂରକୁ ନେଇଯିବାକୁ ଉଦ୍ୟମ କରୁଛନ୍ତି।

ଉକ୍ତ ଭିଡିଓ ସଂକ୍ରାନ୍ତରେ ବଲ୍‌ଜିନ୍ଦର କୌର୍‌ ଅଥବା ତାଙ୍କ ସ୍ବାମୀ କୌଣସି ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ, ପଞ୍ଜାବ ରାଜ୍ୟ ମହିଳା କମିସନ୍‌ର ଅଧ୍ୟକ୍ଷା ମନୀଷ ଗୁଲାଟି କହିଛନ୍ତି ଯେ, ସେ ଭିଡିଓ ଦେଖିଥିବାରୁ ଘଟଣା ପାଇଁ ନିଜଆଡୁ ନୋଟିସ୍‌ ଜାରି କରିବେ।

ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରିରେ ଦୁହେଁ ବିବାହ କରିଥିଲେ। ସେତେବେଳେ ସିଂହ ମାଝା ଅଞ୍ଚଳର ‘ଆପ୍‌’ ୟୋଥ୍‌ ୱିଙ୍ଗ୍‌ର ଆବାହକ ଥିଲେ।

ବିଧାୟିକା ବଲ୍‌ଜିନ୍ଦର୍‌ କୌର୍‌ ୨୦୦୯ରେ ପଟିଆଲାସ୍ଥିତ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଏମ୍‌. ଫିଲ୍‌ କରିଛନ୍ତି। ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ଫତେଗଡ଼ ସାହିବସ୍ଥିତ ମାତା ଗୁଜ୍‌ରି କଲେଜ୍‌ରେ ଇଂରାଜୀ ଅଧ୍ୟାପିକା ଥିଲେ।

ସମ୍ବନ୍ଧିତ ଖବର