ଜୀବନ-ମନ୍ତ୍ର: ଘରର ପତାକା ନାରୀ

ନିକଟରେ ପାଳିତ ହୋଇଯାଇଛି ସ୍ୱାଧୀନତାର ଅମୃତ ମହୋତ୍ସବ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଦେଶର ଘରେ ଘରେ ଉଡ଼ିଛି ଜାତୀୟ ପତାକା। ଏହି ପରିପ୍ରେକ୍ଷୀରେ ବେଦର ଗୋଟିଏ ମନ୍ତ୍ର ଖୁବ୍ ପ୍ରାସଙ୍ଗିକ ମନେହୁଏ।
ସେହି ମନ୍ତ୍ରଟି ଅଛି ‘ଋକ୍‌ବେଦ’ର ଦଶମ ମଣ୍ଡଳରେ। ମନ୍ତ୍ରଟି ହେଉଛି- “ଅହଂ କେତୁରହଂ ମୂର୍ଧା ଅହମୁଗ୍ରା ବିବାଚନୀ। / ମମେଦନୁ କ୍ରତୁଂ ପତିଃ ସେହାନାୟା ଉପାଚରେତ୍।ା” ସେଥିରେ ନାରୀଙ୍କର କହିବା କଥା ହେଉଛି- “ମୁଁ ଘର ବା ପରିବାରର ପତାକା। ମୁଁ ପରିବାରର ମସ୍ତକ। ମୁଁ ବାକ୍‌ପଟୁ। ମୁଁ ବିରୋଧୀମାନଙ୍କ ଉପରେ ବିଜୟିନୀ ହୁଏ ଏବଂ ମୋର ସୁପରାମର୍ଶ ଅନୁସାରେ ମୋର ପତି ପରିଚାଳିତ ହୁଅନ୍ତି।”
ବେଦବିଦୁଷୀ ଶନ୍ନୋ ଦେବୀ ତାଙ୍କ ‘ବେଦରେ ନାରୀ’ ପୁସ୍ତକରେ ଏହାର ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି- ଜାତୀୟ ପତାକା ଆକାଶରେ ଉତ୍ତୋଳିତ ହୋଇ ଜାତିର ଅସ୍ତିତ୍ୱ ଓ ଗୌରବର ପରିଚୟ ଦିଏ। ରାଷ୍ଟ୍ରବାସୀ ତାକୁ ଦେଖି ଗୌରବାନ୍ୱିତ ମନେକରନ୍ତି। ନାରୀ ବେଦମନ୍ତ୍ରରେ କହେ- ମୁଁ କୁଟୁମ୍ବର ପତାକା।
ମୁଁ ରାଷ୍ଟ୍ରଧ୍ୱଜ ପରି ଗୃହର ସମ୍ମାନ ବୃଦ୍ଧି କରେ। ମୁଁ ପରିବାରର ମସ୍ତକ ତୁଲ୍ୟ। ମୋର ବିଚାର ଓ ବ୍ୟବହାରରୁ ଆମ କୁଟୁମ୍ବର ପରିଚୟ ମିଳେ। ମୋର ପତି ଓ ସନ୍ତାନମାନେ ମୋ’ଠାରୁ ଉତ୍ସାହପ୍ରଦ ପ୍ରେରଣା ଲାଭ କରି ନିଜ ନିଜର କର୍ତ୍ତବ୍ୟପଥରେ ଅଗ୍ରସର ହୁଅନ୍ତି। ମସ୍ତକ ଯେପରି ଶରୀରକୁ ନିୟନ୍ତ୍ରଣ କରେ, ମୁଁ ସେହିପରି ପରିବାରର ସମସ୍ତ କାର୍ଯ୍ୟର ସୁପରିଚାଳନା କରେ। ମୋର ସ୍ୱଭାବ ହେଉଛି ନିର୍ଭୀକ ଭାବରେ ସତ୍ୟବଚନ କହିବା। ପୁଣି ସତ୍ୟକୁ ମିଷ୍ଟଭାଷାରେ ପ୍ରତିପାଦନ କରିବା ମୋର ଦକ୍ଷତା। ମୁଁ ପାପ ପ୍ରତି କଠୋର ଓ ପୁଣ୍ୟ ପ୍ରତି ସଦୟ। ଗୃହର ଆପଦ-ବିପଦ ସମୟରେ ମୋର ସାହସପୂର୍ଣ୍ଣ ବାଣୀ ଗୃହକୁ ସୁରକ୍ଷିତ ରଖେ। ମୋର ପତି ସର୍ବଦା ମୋର ସତ୍ ପରାମର୍ଶ ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି।
ଏହା ସୂଚାଏ, ଯେ ପ୍ରତି ପରିବାର‌େର ନାରୀ ଯଦି ନିଜର ଏହି ମହତ୍ତ୍ୱ ବୁଝିପାରିବେ, ତେବେ ପ୍ରତି ଘରେ ସେ ହିଁ ହେବେ ଜାତୀୟ ପତାକା। ସେହି ପତାକା, ଦିନେ ନୁହେଁ କି ଦି’ଦିନ ନୁହେଁ; ସାରାବର୍ଷର ସବୁଦିନେ ଉଡ଼ୁଥିବ।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର