ବାବୁସାନ ଓ ଅନୁଭବଙ୍କ ପରେ ଏହି ଜଣାଶୁଣା ନାୟକଙ୍କ ସହ ଆସୁଛନ୍ତି ସୁପ୍ରିୟା

ଭୁବନେଶ୍ବର: ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟା ୨୦୧୬ରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକସନ୍ସର ଫିଲ୍ମ ‘ଲଭ୍ ପାଇଁ କୁଛ୍ ଭି କରେଗା’ରେ ପ୍ରଥମ ଥର ପାଇଁ ନାୟିକା ବନିଥିଲେ। ଏହି ଫିଲ୍ମରେ ବାବୁସାନଙ୍କ ନାୟିକା ଭାବେ ସୁପ୍ରିୟାଙ୍କୁ ଦେଖିବାକୁ ମିଳିଥିଲା।
ଏହାପରେ ତାଙ୍କୁ ସୁପ୍ରିୟା ୨୦୧୮ରେ ରିଲିଜ୍ ହୋଇଥିବା ଅନ୍ୟ ଏକ ଓଡ଼ିଆ ସିନେମା ‘ଓନଲି ପ୍ୟାର୍’ ଜରିଆରେ ଓଲିଉଡକୁ ଫେରିଥିଲେ। ତାପସ ସରଘରିଆଙ୍କ ନିର୍ଦେଶିତ ଏହି ଓଡ଼ିଆ ସିନେମାରେ ପୁଣି ଥରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ସୁପ୍ରିୟା। ତାପରେ ସୁପ୍ରିୟାଙ୍କୁ ଅନୁଭବଙ୍କ ବିପକ୍ଷରେ ‘ବିଜୁ ବାବୁ’ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ସବ୍ୟସାଚୀଙ୍କ ସହ ପୁଷ୍କରାରେ କାମ କରୁଥିବା ଜଣାଯାଇଛି।


ଏଣେ ଖୁବ୍ ଶୀଘ୍ର ଦର୍ଶକ ସୁପ୍ରିୟାଙ୍କୁ ଆଉ ଜଣେ ଜଣାଶୁଣା ନାୟକଙ୍କ ସହ ପରଦାରେ ଦେଖିବାକୁ ପାଇବେ। ଏହି ନାୟକ ହେଲେ ଜ୍ୟୋତି। ଯେଉଁ ସିନେମାରେ ଏଦୁହେଁ ପ୍ରଥମ ଥର ଏକାଠି ହୋଇଛନ୍ତି, ତାର ଶୀର୍ଷକ ହେଲା ‘ହାତକଡ଼ି’। ରମେଶ ବାରିକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ। ଏଥିରେ ପିଣ୍ଟୁ ନନ୍ଦଙ୍କୁ ବି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଡକ୍ଟର ରଜନୀରଂଜନ ଏହାର ସଂଳାପକାର।


ସୂଚନାଯୋଗ୍ୟ, ଜ୍ୟୋତି ମିଠାମିଠା ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ଅନ୍ୟ ଫିଲ୍ମଗୁଡ଼ିକ ହେଲା ଦେଲେ ଧରା କଥା ସରେ, ହାପିଲକି, ସୁପରବୟ,‘ମନ ମୋ ନେଇଗଲୁରେ’ ଓ ‘ ଆଉ ଗୋଟେ ଲଭଷ୍ଟୋରି’ ଆଦି।
ଏଣେ ଜ୍ୟୋତି ଭୂମିକା, ମାଳବିକା, ଏଲିନା ଓ ତମନ୍ନାଙ୍କ ପରି ଜଣାଶୁଣା ନାୟିକାଙ୍କ ସହ ଯୋଡ଼ି ବନାଇଥିଲେ ବି ସୁପ୍ରିୟାଙ୍କ ସହ ଏହା ତାଙ୍କର ପ୍ରଥମ ସିନେମା। ଏହି ଯୋଡ଼ିକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର