ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ବ, ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ ପୁଷ୍କର ସିଂହ ଧାମୀ

ଡେରାଡୁନ: ହାରିବା ପରେ ବି ହେଲେ ମୁଖ୍ୟମନ୍ତ୍ରୀ। ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ବ। ଉତ୍ତରାଖଣ୍ଡରେ ବିପୁଳ ଭୋଟ ପାଇ ବିଜେପି ବିଜୟୀ ହେବା ପରେ ଆଜି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୁଷ୍କର ସିଂହ ଧାମୀ। ଆଜି ଡେରାଡୁନରେ ହୋଇଥିବା ବିଧାୟକ ଦଳ ବୈଠକ ପରେ ଧାମୀଙ୍କୁ ବିଧାୟକ ଦଳର ନେତା କରାଯାଇଛି। ନାଁ ଘୋଷଣା ହେବାପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି।

indiatoday

ଏହି ନିଷ୍ପତ୍ତି ପରେ ଧାମୀ ତୁରନ୍ତ ରାଜ୍ୟପାଳଙ୍କୁ ଭେଟିବାକୁ ଚାଲିଯାଇଥିବା କୁହାଯାଉଛି। ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିବେ। ତେବେ ବିଧାୟକ ଦଳ ବୈଠକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରହ୍ଲାଦ ଯୋଶୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ପଠାଯାଇଥିଲା। ବିଧାୟକ ଦଳ ବୈଠକ ଅପରାହ୍ନ ୫ଟାରୁ ଆରମ୍ଭ ହୋଇଥିଲା ଏବଂ ପରେ ନିଷ୍ପତ୍ତି ଘୋଷଣା ହେବାରୁ ୧୧ ଦିନ ଧରି ଲାଗିରହିଥିବା ଚର୍ଚ୍ଚାର ଅବସାନ ଘଟିଥିଲା। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ବହୁମତ ହାସଲ କରିଥିଲେ ବି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ଆସନରୁ ନିର୍ବାଚନ ​​ହାରିଥିଲେ। ଏହା ପରେ ଦଳ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି ଆଶା କରାଯାଉଥିଲା।

ତେବେ ମଣିପୁରରେ ମଧ୍ୟ ବିଜେପି ଏନ ବୀରେନ ସିଂହଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିଛି। ଏବେ କେବଳ ଗୋଆ ଉପରେ ନଜର ରହିଛି। ଗୋ‌ଆରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର