ରେଓ୍ଵାଡ଼ି ଗଣଦୁଷ୍କର୍ମ ମାମଲା: ବର୍ବରତା ସୀମା ଟପିଥିଲା

ମାଷ୍ଟରମାଇଣ୍ଡ୍‌ ନିଶୁ ଗିରଫ, ଡଜନେରୁ ଊର୍ଦ୍ଧ୍ୱ ଲୋକ ୮ ଘଣ୍ଟା ଦୁଷ୍କର୍ମ କରିଥିଲେ

ରେଓ୍ଵାଡ଼ି: ହରିୟାଣାର ରେଓ୍ଵାଡ଼ି ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ଲୋମଟାଙ୍କୁରା ଥିଲା। ଅଭିଯୁକ୍ତମାନେ ବର୍ବରତାର ସବୁ ସୀମା ଟପିଯାଇଥିଲେ। ଏହା ଏତେ ଭୟାନକ ଥିଲା ଯେ କିଛି ଦୁଷ୍କର୍ମକାରୀ ଅଭିଯୁକ୍ତ ମଧ୍ୟ ଭୟରେ ଥରିବାକୁ ଲାଗିଥିଲେ। ଶେଷରେ ସେମାନେ ଡାକ୍ତର ଡାକି ପୀଡ଼ିତା ଯୁବତୀଙ୍କ ଚିକିତ୍ସା କରାଇଥିଲେ। ଆଜି ଅପରାହ୍ନରେ ପୁଲିସ ମାଷ୍ଟରମାଇଣ୍ଡ୍‌କୁ ଗିରଫ କରିଛି। ତା’ର ନାମ ନିଶୁ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ତା’ର ଦୋଷ ସ୍ୱୀକାର କରିଛି। ଯୁବତୀଙ୍କୁ ଡଜନେରୁ ଅଧିକ ଲୋକ ଦୁଷ୍କର୍ମ କରିଥିବା ବେଳେ ଏବେ ଯାଏ ମାତ୍ର ଜଣଙ୍କୁ ଗିରଫ କରାଯାଇ ପାରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହରିୟାଣା ପୁଲିସ ଏକାଧିକ ରାଜ୍ୟରେ ଚଢ଼ଉ ଜାରି ରଖିଛି। ୧୯ ବର୍ଷୀୟା ପୀଡ଼ିତା ଯୁବତୀ ଗୁରୁବାର ରେଓ୍ଵାଡ଼ି ଅନ୍ତର୍ଗତ କୋସ୍‌ଲିସ୍ଥିତ ନିଜ ଗ୍ରାମରୁ କୋଚିଂ କ୍ଲାସ୍‌ ପାଇଁ ଯାଉଥିବା ବେଳେ ଅଭିଯୁକ୍ତମାନେ କନିନା ବସ୍‌ ଷ୍ଟପ୍‌ ନିକଟରୁ ତାଙ୍କୁ ଅପହରଣ କରିନେଇଥିଲେ। ଚଳନ୍ତା କାର ମଧ୍ୟରେ ପ୍ରଥମେ ତାଙ୍କୁ ନିଶା ଇଂଜେକ୍‌ସନ୍‌ ଦେଇଥିଲେ। ସେ ଚେତାଶୂନ୍ୟ ହେବା ପରେ ଅଭିଯୁକ୍ତମାନେ ଜଣକ ପରେ ଜଣେ ଅମାନୁଷିକ ଭାବେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏମିତି ୮ ଘଣ୍ଟା ଧରି ଚାଲିଥିଲା। ଶେଷରେ ଯୁବତୀଙ୍କ ଅବସ୍ଥା ଦେଖି କିଛି ଅଭିଯୁକ୍ତ ଭୟରେ ଥରିଥିଲେ। ଅଧିକାଂଶ ଅଭିଯୁକ୍ତ ପୀଡ଼ିତାଙ୍କ ଗ୍ରାମର ବାସିନ୍ଦା ଥିଲେ। ତେବେ ସେମାନେ ଜଣେ ଡାକ୍ତରଙ୍କୁ ଡକାଇ ଚିକିତ୍ସା କରାଇଥିଲେ। ସେତେବେଳେ ପୀଡ଼ିତା ଯୁବତୀଙ୍କ ରକ୍ତଚାପ ଅତ୍ୟନ୍ତ ତଳକୁ ଖସିଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ପୁଲିସ ଏବେ ଉକ୍ତ ଡାକ୍ତରଙ୍କୁ ଅଟକ ରଖି ତାଙ୍କୁ ପଚରାଉଚରା କରୁଛି। ପୁଲିସକୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମହେନ୍ଦ୍ରଗଡ଼ର କନିନା ବସ୍‌ ଷ୍ଟପ୍‌ ଠାରେ ଛାଡ଼ିଦେଇଥିଲେ। ଏହିଠାରୁ ହିଁ ତାଙ୍କୁ ସେମାନେ ସକାଳେ ଅପହରଣ କରିନେଇ ଦିନସାରା ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ମନୀଷ ପ୍ରଥମେ ପୀଡ଼ିତାଙ୍କ ପିତାଙ୍କୁ ଫୋନ୍‌ କରି ଜଣାଇଥିଲା ଯେ ସେ ତାଙ୍କ ଝିଅଙ୍କୁ କନିନା ବସ୍‌ ଷ୍ଟପ୍‌ ଠାରେ ସଂଜ୍ଞାହୀନ ଅବସ୍ଥାରେ ଦେଖିଛି। ଖବର ପାଇ ପୀଡ଼ିତାଙ୍କ ପିତା ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।  ଉଲ୍ଲେଖଥାଉ କି ଚିହ୍ନଟ ହୋଇଥିବା ୩ ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ନିଜ ଗାଁର ବାସିନ୍ଦା।  ଘଟଣାର ୪ ଦିନ ବିତିଥିଲେ ହେଁ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରିନାହିଁ।

ନ୍ୟାୟ ମାଗିଲେ ପୀଡ଼ିତାଙ୍କ ମାଆ ଫେରାଇଲେ ଆର୍ଥିକ ସହାୟତା

ରେଓ୍ଵାଡ଼ି: ଇତିମଧ୍ୟରେ ପୀଡ଼ିତାଙ୍କ ମାଆଙ୍କୁ ଦିଆଯାଇଥିବା ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତାକୁ ସେ ଫେରାଇ ଦେଇଛନ୍ତି। ଶନିବାର ତାଙ୍କୁ ଚେକ୍‌ ଦିଆଯାଇଥିଲା। ତେବେ ସେ ଏ ନେଇ କହିଛନ୍ତି, ମୋତେ ଦିଆଯାଇଥିବା ୨ ଲକ୍ଷ ଟଙ୍କାର ଚେକ୍‌ ମୁଁ ଫେରାଇ ଦେଇଛି। ସେମାନେ ଟଙ୍କା ଦେଇ ମୋ ଦୁଃଖକୁ ଲାଘବ କରିପାରିବେ ନାହିଁ। ମୋର ନ୍ୟାୟ ଦରକାର। ମୋ ଝିଅକୁ କଂସେଇଖାନାରେ ନେଇ ପୂରେଇ ଦେଲେ। ସେଠାରେ ତା’ ପ୍ରତି ପାଶବିକ ଅତ୍ୟାଚାର କଲେ। ଏଥିପାଇଁ ସରକାର ମୂଲ୍ୟ ଦେବାକୁ ଚେଷ୍ଟା କରୁଛନ୍ତି। ସରକାର ଯଦି ମୋତେ ନ୍ୟାୟ ଦେଇପାରିବେ, ତା’ହେଲେ ମୁଁ ଖୁସି ହେବି। ସମସ୍ତ ଅଭିଯୁକ୍ତଙ୍କୁ ଫାଶି ହେବା ଦରକାର ବୋଲି ସେ ଦାବି କରିଛନ୍ତି।

ବଦଳିଲେ ଜିଲ୍ଲା ଏସ୍‌ପି

ରେଓ୍ଵାଡ଼ି: ହରିୟାଣାର ରେଓ୍ଵାଡ଼ିରେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେବାରୁ ଜିଲ୍ଲା ଏସ୍‌ପି ରାଜେଶ୍‌ ଡୁଗ୍ଗଲ୍‌ଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ରାହୁଲ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଘଟଣାରେ ଡଜନେରୁ ଅଧିକ ଲୋକ ସଂପୃକ୍ତ ଥିବା ବେଳେ ଏବେ ସୁଦ୍ଧା ମାତ୍ର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଏକାଧିକ ପୁଲିସ ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ। ତାଙ୍କ କହିବାନୁଯାୟୀ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁର୍ଭାଗ୍ୟପୂର୍ଣ୍ଣ କଥା ଯେ ଅଭିଯୁକ୍ତ ଓ ପୀଡ଼ିତା ପରସ୍ପରକୁ ଜାଣନ୍ତି। ଗୋଟିଏ ଗାଁର ବାସିନ୍ଦା ହେବା ସତ୍ତ୍ୱେ ସେମାନେ ଏଭଳି ବୀଭତ୍ସ କାଣ୍ଡ ଘଟାଇବା ପରିତାପର ବିଷୟ। ଆହୁରି ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ହେଉଛି ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯବାନ ମଧ୍ୟ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଛି। ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ପୁଲିସ ସୂତ୍ର ମୁତାବକ ଘଟଣାରେ କେତେକ ଲୋକଙ୍କୁ ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର