୨୦୧୯ ଲୋକସଭା ନିର୍ବାଚନ: ଚର୍ଚ୍ଚାରେ ବିଜେପିର ‘ଟି-୨୦’ ଫର୍ମୁଲା

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନର ସଫଳତାକୁ ଦୋହରାଇବା ପାଇଁ ବିଜେପି ଏବେ ଟି-୨୦ ଫର୍ମୁଲା ପ୍ରସ୍ତୁତ କରିଛି। ପୁଣି ଥରେ ‘ମୋଦୀ ସରକାର’ ଗଠନ ପାଇଁ ବିଜେପି ଏଥର ପ୍ରତ୍ୟେକ ବୁଥ୍‌ରେ ନିଜ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ପ୍ରଚାର କମିଟି ଗଠନ କରିବାକୁ ଯାଉଛି। ୨୦୧୪ ନିର୍ବାଚନରେ ଯେଉଁ ପ୍ରଚାର ପଦ୍ଧତିଗୁଡ଼ିକ ସଫଳ ହୋଇଥିଲା ଏଥର ତାହାର ମଧ୍ୟ ପୁନରାବୃତ୍ତି ହେବ। ଏଥିରେ ଚାୟ ପେ ଚର୍ଚ୍ଚା, ନମୋ ଆପ୍‌ ଏବଂ ସାଂସଦ-ବିଧାୟକ-କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଜନତାଙ୍କ ନିକଟରେ ବାର୍ତ୍ତା ପହଞ୍ଚାଯିବ। ବିଜେପିର ଟି-୨୦ ଫର୍ମୁଲା କ୍ରିକେଟ୍‌ର ଟି-୨୦ ଫର୍ମୁଲାଠାରୁ ସଂପୂର୍ଣ୍ଣ ଅଲଗା। ବିଜେପିର କେତେକ ବରିଷ୍ଠ ନେତା କହିଛନ୍ତି ଯେ ଏଥିରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଜ ଅଂଚଳରେ ଅତି କମ୍‌ରେ ୨୦ଟି ଘରକୁ ଯାଇ ‘ଚାୟ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରିବେ। ଚର୍ଚ୍ଚା ସମୟରେ ସେମାନେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ସଂପର୍କରେ ଲୋକଙ୍କୁ ଅବଗତ କରାଇବେ। ବିଜେପି ଏଥିପାଇଁ ନିଜ ସାଂସଦ, ବିଧାୟକ ଏବଂ ବୁଥ୍‌୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରସ୍ତୁତ ରଖିଛି ଏବଂ କେତେକ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ମଧ୍ୟ ଦିଆଯାଉଛି। ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ହେଲେ ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର ହେବ ବୋଲି କୁହାଯାଇଛି। ପ୍ରତ୍ୟେକ ଘରେ ବିଜେପି କାର୍ଯ୍ୟକର୍ତ୍ତା ପହଞ୍ଚିବା ପାଇଁ ‘ହର୍‌ ଘର ଦସ୍ତକ’ ଅଭିଯାନ ଆରମ୍ଭ ହେବ। ପ୍ରତ୍ୟେକ ବୁଥ୍‌ ଅଂଚଳରେ ଏହି କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଟିମ୍‌୍‌ ଗଠନ ହେବ ଏବଂ ଏଥିରେ ୧୫ରୁ ୨୦ ଲୋକ ରହିବେ। ୨୦୧୯ରେ ବିଜେପି ନମୋ ଆପ୍‌ର ମଧ୍ୟ ସହାୟତା ନେବ। ଖୁବ୍‌୍‌ଶୀଘ୍ର ଏହି ଆପ୍‌ର ନୂଆ ସଂସ୍କରଣ ଆସିବ। ବିରୋଧ ଦଳ ମୋଦି ସରକାରଙ୍କୁ ଘେରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନଥିବା ବେଳେ ଏହାର ଜବାବ ଦେବାପାଇଁ ବିଜେପି ଏବେ ତତ୍ପରତା ଦେଖାଇଛି। ତଥ୍ୟ ଏବଂ ସୂଚନା ସହିତ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଲୋକଙ୍କୁ ସମ୍ମୁଖୀନ ହେବେ ବୋଲି ବିଜେପି ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର