ସାଗରମାଳା ଯୋଜନା: ଓଡ଼ିଶାରେ ଶେଷହୋଇଛି ୧୬ ପ୍ରକଳ୍ପ

ନୂଆଦିଲ୍ଲୀ : ସାଗରମ‌ାଳା ଯୋଜନାରେ ଓଡ଼ିଶାର ୫୪ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୬ଟି ପ୍ରକଳ୍ପର କାର୍ଯ୍ୟ ଶେ‌ଷ ହୋଇଛି। ସୋମବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ଓଡ଼ିଶାରେ ସାଗରମାଳା ଯୋଜନାରେ ୬୩ ହଜାର କୋଟି ଟଙ୍କା ବ୍ୟୟରେ ୫୪ଟି ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହା ଦ୍ବାରା ବନ୍ଦରଗୁଡ଼ିକର ଆଧୁନିକୀକରଣ, ବନ୍ଦର ସଂଯୋଗୀକରଣ, ବନ୍ଦର ଆଧାରିତ ଶିଳ୍ପାଞ୍ଚଳ, ଉପକୂଳ ଗୋଷ୍ଠୀ ବିକାଶ, ଉପକୂଳ ଜାହାଜ ଚଳାଚଳ ତଥା ଅନ୍ତର୍ଦେଶୀୟ ଜଳପଥ ବିକାଶ ଯୋଜନା ରହିଛି। ପ୍ରକଳ୍ପଗୁଡ଼ିକୁ ପ୍ରମୁଖ ବନ୍ଦର, କେନ୍ଦ୍ରୀୟ ମନ୍ତ୍ରାଳୟ, ଭାରତୀୟ ରେଲୱେ, ଏନ୍‌ଏଚ୍‌ଏଆଇ ଭଳି ସଂସ୍ଥାମାନଙ୍କ ଦ୍ବାରା କରାଯାଉଛି। ୫୪ଟି ପ୍ରକଳ୍ପ ମଧ୍ୟରୁ ୧୯ଟି କାର୍ଯ୍ୟାନ୍ବୟନ ସ୍ଥିତିରେ ଥିବା‌ବେଳେ ୧୯ଟିର କାର୍ଯ୍ୟ ଆରମ୍ଭ ହୋଇନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର