ସାହାରା ମୁଖ୍ୟ ସୁବ୍ରତ ରାୟଙ୍କର ପରଲୋକ

ମୁମ୍ବାଇ: ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କର ମଙ୍ଗଳବାର ରାତି ୧୦ଟା ୩୦ ମିନିଟରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଗତ ରବିବାର ତାଙ୍କୁ କୋକିଳାବେନ ଧୀରୁଭାଇ ଅମ୍ବାନି ହସ୍ପିଟାଲ ଆଣ୍ଡ୍‌ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ସେ ମେଟାଷ୍ଟାଟିକ ମାଲିଗ୍ନାସି, ରକ୍ତଚାପ ଓ ଡାଇବେଟିସ ଭଳି ରୋଗରେ ପୀଡ଼ିତ ଥିଲେ। ତେବେ ହୃତ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ସାହାରା ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସୁବ୍ରତ ରାୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।

ଜଣାଶୁଣା ଶିଳ୍ପପତି ତଥା ସାହାରା ମୁଖ୍ୟ ସୁବ୍ରତ ରାୟ ଜଣେ ସଫଳ ବ୍ୟବସାୟୀ ଭାବେ ଚିଟଫଣ୍ଡ, ହୋଟେଲ ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ମିଡିଆ ପରି କ୍ଷେତ୍ରରେ ସେ ପାଦ ଦେଇଥିଲେ | ତବେ ସବୁ କ୍ଷେତ୍ରରେ ସଫଳତା ପାଇପାରି ନଥିଲେ। ବହୁ କ୍ଷତି ହେତୁ ସୁବ୍ରତ ରାୟ କିଛି ବର୍ଷ ପୂର୍ବେ ସାହାରା ଏୟାରଲାଇନ୍ସକୁ ବିକ୍ରି କରିଥିଲେ। ଉଲ୍ଲେଖ ଥାଉ କି ସାହାରା ଫାଇନାନ୍ସ ଜରିଆରେ ସେ ସଂଗ୍ରହ କରିଥିବା ନିବେଶକଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ସାହାରା ଗ୍ରୁପ୍ ଓ ସେବି ମଧ୍ୟରେ ବିବାଦ ଲାଗି ରହିଛି |

ଏହି ମାମଲାରେ ସୁବ୍ରତ ରାୟ ଦାବି କରିଥିଲେ ଯେ ସେ କିଛି ଭୁଲ କରିନାହାନ୍ତି। କୋର୍ଟ ଅବମାନନା ଅଭିଯୋଗରେ ସୁବ୍ରତ ରାୟଙ୍କୁ ୨୦୧୪ରେ ଗିରଫ କରାଯାଇଥିଲା। ୨୦୧୬ ପରଠାରୁ ସେ ଜାମିନରେ ଥିଲେ । ୨୦୧୨ ମସିହାରେ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ସୁବ୍ରତ ରାୟଙ୍କ ନାମରେ ଅଭିଯୋଗ ଆଣିଥିଲା | ବଜାର ନିୟମ ଉଲ୍ଲଂଘନ କରି ଚିଟ୍ ଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କଠାରୁ ଟଙ୍କା ଜମା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ସାହାରା  ଏବଂ ପରେ ସୁବ୍ରତ ରାୟଙ୍କୁ ଏହି ମାମଲାରେ ଦୀର୍ଘ ସମୟ ଧରି ଜେଲରେ ରହିବାକୁ ପଡିଥିଲା |

ସେତେବେଳେ ସେବି ସୁବ୍ରତ ରାୟଙ୍କୁ ୨୫୭୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ୨୦୨୦ରେ, ସୁବ୍ରତ ରାୟଙ୍କୁ ସୁଧ ସହିତ ମୋଟ ୬୨୬୦୦ କୋଟି ଟଙ୍କା ଫେରସ୍ତ କରିବାକୁ ସେବି କୋର୍ଟଙ୍କୁ କହିଥିଲା ​​ଏବଂ ଯଦି ଏହା କରା ନ ଯାଏ ତେବେ କୋର୍ଟ ସୁବ୍ରତ ରାୟଙ୍କ ପାରୋଲକୁ ବାତିଲ କରିବାକୁ ଦାବି କରିଥିଲା।

ସମ୍ବନ୍ଧିତ ଖବର