ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

ରେଢ଼ାଖୋଲ: ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ (୯୦ ବର୍ଷ)ଙ୍କ ପରଲୋକ ହୋଇଛି। ଶେଷ ସମୟରେ ମହାରାଷ୍ଟ୍ରର ନାଗପୁରଠାରେ ସେ ନିଜ ବଡ଼ପୁଅ ପ୍ରଫେସର ଶିଳାଦିତ୍ୟଙ୍କ ନିକଟରେ ରହୁଥିଲେ। ଗତ କିଛିଦିନ ହେଲା ସେ ଅସୁସ୍ଥତା ଯୋଗୁ ଘରେ ରହି ଚିକିତ୍ସିତ ହେଉଥିଲେ। ସାନପୁଅ ଭୀମଭୋଇ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବାଳାଦିତ୍ୟ ବିକାଶ ଶ୍ରୀଚନ୍ଦନ ସିଂହ ସପରିବାର ନାଗପୁର ଅଭିମୁଖେ ଯାଇଛନ୍ତି। ସ୍ବର୍ଗତ ଡ. ସିଂହଙ୍କ ପତ୍ନୀ ଶକୁନ୍ତଳା ଦେବୀଙ୍କ ସହ ବଡ଼ପୁଅ ଓ ପରିବାର ବର୍ଗ ତା’ଙ୍କ ​ଶେଷଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

ଡ. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ୬ ଅଗଷ୍ଟ ୧୯୩୩ରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପାପସାର ଗ୍ରାମରେ ପିତା ଜୟକୃଷ୍ଣ ଓ ମାତା ମନୋରମାଙ୍କ କୋଳମଣ୍ତନ କରିଥିଲେ। ଶିଶୁ ସାହିତ୍ୟ, ପ୍ରବନ୍ଧ, କବିତା ଓ ଜୀବନୀ ପ୍ରଭୃତି ରଚନା ମଧ୍ୟମରେ ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସ୍ବର୍ଗତ ଡ. ଶ୍ରୀଚନ୍ଦନ ସିଂହ ତାଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ ବିଭାଗରେ ୧୧୭ ଖଣ୍ତ ପୁସ୍ତକ ରଚନା କରିଛନ୍ତି। ସେ ୨୦୧୦ ମସିହାରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ‘ଟିକିପରି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୧୭ରେ କେନ୍ଦ୍ର ସାହିତ୍ୟ ଅଦାଦେମି ବାଳ ସାହିତ୍ୟ ପୁରସ୍କାର ଲାଭ କରିଥିଲେ। ତାଙ୍କ ରଚିତ ବେଙ୍ଗରାଜା, ବେଗେ ବାଇଦ ବଜା, ଏହି ପାହାଡ଼ ତଳେ, ଟିକିପରି, ଲାଲ୍ ଟିକୁନିର କଥା, ଶଙ୍ଖ କୋଇଲି, କାହାଣୀ ପଶୁପକ୍ଷୀର, ଫୁଲବଗିଚା, ଦେଶବିଦେଶର ପିଲାଙ୍କ କାହାଣୀ, ସବୁଜ ଘୋଡ଼ା, ଘୃତ ଦେଉଳ, କୁବେର ପୁରୀ, ମୋ’ ମାତୃଭାଷା, ଭୀମଭୋଇ ସାହିତ୍ୟ ସମୀକ୍ଷା, ମାନବ ବାଦ ଓ ଦଳିତ ସାହିତ୍ୟ, ମହାଭାରତ କଥା ଓ କାହାଣୀ ଇତ୍ୟାଦି ତାଙ୍କ ସାହିତ୍ୟ ସୃଷ୍ଟିର ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଯଦୁମଣିପାଟଣାସ୍ଥିତ ବାସଭବନରେ ଦୀର୍ଘ ସମୟର ରହଣିକାଳରେ ସେ ବିଭିନ୍ନ ସାହିତ୍ୟ ସାମାଜିକ ସଂଗଠନ ସହିତ ଯୋଡ଼ି ହୋଇଥିଲେ। ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକରେ ରହିଥିବା ତାଙ୍କ ରଚିତ ‘ବିଶ୍ବବିଜୟୀ ବିବେକାନନ୍ଦ’ ବିଷୟଟି ସମଗ୍ର ଛାତ୍ରସମାଜ ପାଇଁ ସ୍ମରଣୀୟ ହୋଇ ରହିବ। ସ୍ବର୍ଗତ ଡ.ଶ୍ରୀଚନ୍ଦନ ସିଂହଙ୍କ ପୁତ୍ର ଡ.ବାଳାଦିତ୍ୟ ବିକାଶ ଶ୍ରୀଚନ୍ଦନ ସିଂହଙ୍କ ସୂଚନା ଅନୁସାରେ, ତାଙ୍କ ବାପାଙ୍କ ଶେଷଇଚ୍ଛା ଅନୁଯାୟୀ ପାର୍ଥିବ ଶରୀର ନାଗପୁର ହସପିଟାଲକୁ ଗବେଷଣା ପାଇଁ ଦାନ କରାଯାଇଛି।

ସମ୍ବନ୍ଧିତ ଖବର