ସାହିତ୍ୟ ହେଉଛି ସବୁ ଭଲ କାଳର ସମ୍ବାଦ: ଡ. ଗୌରହରି ଦାସ

 

ରାଉରକେଲା: ସାହିତ୍ୟ ହେଉଛି ମଣିଷର ସମାନ୍ତରାଳ ଇତିହାସ। ମଣିଷର ହୃଦୟ ମଧ୍ୟରେ ଆବେଗକୁ ନିୟନ୍ତ୍ରଣ କରିବାରେ ସାହିତ୍ୟର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସାହିତ୍ୟ ହେଉଛି ଉତ୍ତର ନଥିବା ଗୋଟିଏ ପ୍ରଶ୍ନ। ସାହିତ୍ୟ ହେଉଛି ସବୁ ଭଲକାଳର ସମ୍ବାଦ। ଅଭିଜ୍ଞତା ନିଆଁରେ ଆଙ୍ଗୁଳି ନପୋଡ଼ିଲେ କିମ୍ବା ବାସ୍ତବ ଅନୁଭୂତି ନ ହେଲେ ଗଳ୍ପ ଲେଖିବା ଅସମ୍ଭବ। ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ଡ. ଗୌରହରି ଦାସ ନିଜ ଉଦ୍‌ବୋଧନରେ ଏହା କହିଛନ୍ତି।

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଚାଲିଥିବା ‘ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ଚତୁର୍ଥ ଦିବସର ମୁଖ୍ୟଅତିଥି ଡ. ଦାସ ‘ସବୁ ମଣିଷ ସବା ଶେଷରେ ଗପ ହୋଇଯାଇଥାଏ’ ବୋଲି କହିବା ସହ ବକ୍ତବ୍ୟ ଆରମ୍ଭ କରିଥିଲେ। ଡ. ଦାସ କହିଲେ, ଗଳ୍ପ ପଢ଼ିବା ସମୟରେ ସତ ଭଳି ଲାଗୁଥିଲେ ହିଁ ତାହା ଗଳ୍ପକୁ ସାର୍ଥକ କରିଥାଏ। ଅଶୀଦଶକ ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟରେ ମଣିଷର ଦୁଃଖ, ଦୁର୍ଦ୍ଦଶା, ସୁଖ, ପ୍ରେମ, ସମସ୍ୟା ଓ ସାମ୍ଭାବ୍ୟ ସମାଧାନ ପ୍ରମୁଖ ପ୍ରସଙ୍ଗ ସହିତ ବାମାବାଦ ବା ନାରୀବାଦକୁ ଗୁରୁତ୍ବ ଦିଆଯାଇଛି। ୧୮୯୮ ମସିହାର ରେବତୀ ଗଳ୍ପରୁ ଆରମ୍ଭ ହୋଇଥିବା ୧୨୫ବର୍ଷର ଓଡ଼ିଆ ଗଳ୍ପ ସାହିତ୍ୟର କ୍ରମବିକାଶ ପ୍ରସଙ୍ଗରେ ଡ. ଦାସ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ସଭାପତିତ୍ବ ସମ୍ଭାଷଣରେ କଲେଜର ଅଧ୍ୟକ୍ଷ ପ୍ରଫେସର ବିଜୟ ବେହେରା ସାମ୍ପ୍ରତିକ ସାହିତ୍ୟର ଧାରା ଓ ଦିଗ ପରିବର୍ତ୍ତନଶୀଳ ଥିଲାବେଳେ ସାହିତ୍ୟ କାହାପାଇଁ ତାହା ଆଲୋଚନାର ବିଷୟ ବୋଲି କହିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ସୁଷମା ମୋଦୀ ସ୍ବାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ଡ. ପ୍ରଶାନ୍ତ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଅନୁଷ୍ଠିତ ସାହିତ୍ୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. ଦାସ ଉତ୍ତର ଦେଇଥିଲେ। ଏହି ଅବସରରେ କଲେଜ ପକ୍ଷରୁ ମୁଖ୍ୟଅତିଥି ଡ. ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଓଡ଼ିଆ ଗଳ୍ପ ‘ରେବତୀ’ ର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବିଷୟବସ୍ତୁକୁ ନେଇ ଏକ କ୍ଷୁଦ୍ର ନାଟିକା ପରିବେଷିତ ହୋଇଥିଲା। ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ରଜନୀ କିସାନ, ବିଶ୍ବଜିତ ଦାସ, ଦିପ୍ତିମୟୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡ. ସୁଚିତ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର