ତେଲେଙ୍ଗାନାରେ ଶାହ-କେସିଆର ମୁହାଁମୁହିଁ: ‘ମୁକ୍ତି ଦିବସ’ ବନାମ ‘ଏକତା ଦିବସ’

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ତେଲେଙ୍ଗାନାରେ ମୁହାଁମୁହିଁ ହୋଇଛନ୍ତି। ଭାରତର ସଂଘୀୟ ବ୍ୟବସ୍ଥାରେ ହାଇଦ୍ରାବାଦ ମିଶ୍ରଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟରେ ୨ଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସିକନ୍ଦରାବାଦର ପରେଡ୍‌ ଗ୍ରାଉଣ୍ଡ୍‌ରେ ‘ହାଇଦ୍ରାବାଦ ଷ୍ଟେଟ୍‌ ଲିବରେସନ୍‌ ଡେ’ ତଥା ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ପାଇଁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ତେ‌ଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଉକ୍ତ ସ୍ଥାନଠାରୁ ମାତ୍ର ଅଳ୍ପ କିଛି କିମି ଦୂର ‘ପବ୍ଲିକ ଗାର୍ଡେନ୍‌ସ’ରେ ‘ତେଲେଙ୍ଗାନା ଜାତୀୟ ଏକତା ଦିବସ’ ପାଳନ କରିଛନ୍ତି।

ସିକନ୍ଦରାବାଦ ପରେଡ୍‌ ଗ୍ରାଉଣ୍ଡ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ଶାହ ତେଲେଙ୍ଗାନାରେ ଶାସକ ଟିଆର୍‌ଏସ୍‌କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ଦୁର୍ଭାଗ୍ୟବଶତଃ ୭୫ ବର୍ଷ ପରେ ବି ଯେଉଁମାନେ ଏହି ସ୍ଥାନକୁ ଶାସନ କରି ଆସୁଛନ୍ତି କେବଳ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି ପାଇଁ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରିବାକୁ ସାହାସ କରିନାହାନ୍ତି। ମୁକ୍ତି ଦିବସ ପାଳନ ପାଇଁ ଅନେକ ନେତା ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଯେତେବେଳେ କ୍ଷମତାକୁ ଆସନ୍ତି ସେତେବେଳେ ରାଜ୍‌କର (ଏମ୍‌ଆଇଏମ୍‌ର ଘରୋଇ ସେନା) ଭୟରେ ସେମାନେ ଏହି କଥା ଭୁଲିଯାଆନ୍ତି। ସେମାନେ ଉତ୍ସବ ମନାନ୍ତି, କିନ୍ତୁ ‘ହାଇଦ୍ରାବାଦ ମୁକ୍ତି ଦିବସ’ ଭାବେ ନୁହେଁ। ସେମାନଙ୍କ ମଧ୍ୟରେ ଏବେ ବି ଭୟ ରହିଛି। ତେବେ ମୁଁ ଆଜି ସେମାନଙ୍କୁ କହୁଛି ମନରୁ ଭୟ ହଟାଇ ଦିଅ। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ହୋଇସାରିଛି, ତେଣୁ ରାଜ୍‌କରମାନେ ଏହି ଦେଶ ପାଇଁ ନିଷ୍ପତ୍ତି ନେଇପାରିବେନି। ଶାହ ମଧ୍ୟ ଆଜିର ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ୧୯୪୮ରେ ହାଇଦ୍ରାବାଦ ଭାରତ ସହ ମିଶିବା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏଠାରେ ଜାତୀୟ ପତାକା ଉଡ଼ାଇ ଥିଲେ।

ଅନ୍ୟପକ୍ଷେ କେସିଆରଙ୍କ ନେତୃତ୍ବାଧୀନ ଟିଆରଏସ୍‌ ଆଜି ‘ତେଲେଙ୍ଗାନା ଜାତୀୟ ଏକତା ଦିବସ’ କାର୍ଯ୍ୟକ୍ରମରେ ଶାହ ଏବଂ ବିଜେପିକୁ ଟାର୍ଗେଟ୍‌ କରିଛି। କେସିଆର କହିଛନ୍ତି, ଶାହଙ୍କ ମୁକ୍ତି ଦିବସ ଉତ୍ସବ ବିଜେପିର ବିଭାଜନକାରୀ ରାଜନୀତି ଆଧାରରେ ହୋଇଛି। କେସିଆର କହିଛନ୍ତି, ବିଜେପି ଧାର୍ମିକ ଉନ୍ମାଦନା ସୃଷ୍ଟି ପାଇଁ ବିଷାକ୍ତ ଟିପ୍ପଣୀ ଦେଇ ଦେଶରେ ଘୃଣାର ପ୍ରସାର କରୁଛି।

ଶାହଙ୍କ ସୁରକ୍ଷାରେ ତ୍ରୁଟି
ହାଇଦ୍ରାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ହାଇଦ୍ରାବାଦ ଗସ୍ତରେ ଥିବାବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ହାଇଦ୍ରାବାଦର ବେଗମପେଟ୍‌ରେ ଶାହଙ୍କ କନଭୟକୁ ଆଜି ତାଙ୍କ ସୁରକ୍ଷାକର୍ମୀ କିଛି ସମୟ ପାଇଁ ଅଟକାଇଥିଲେ। ଶାହଙ୍କ କନଭୟ ଆଗରେ ଯାଉଥିବା ଏକ ଏସ୍‌ୟୁଭି ହଠାତ ଅଟକି ଯାଇ ବାଟ ଛାଡ଼ିନଥିଲା। ଏହାପରେ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୋଟରକେଡ୍‌ରୁ ବାହାରି ତୁରନ୍ତ ଏସ୍‌ୟୁଭି ନିକଟକୁ ଯାଇଥିଲେ ଏବଂ ଡ୍ରାଇଭରଙ୍କ ସହ କଥା ହୋଇଥିଲେ। ଏହି ଗାଡ଼ିଟି ଟିଆରଏସ୍‌ ନେତା ଗୋସୁଲା ଶ୍ରୀନିବାସ ଯାଦବଙ୍କର। ନିଜେ ଟିଆର୍‌ଏସ ନେତା ଏହି ସମୟରେ ଡ୍ରାଇଭର ସିଟ୍‌ରେ ବସିଥିଲେ। ତେବେ ଏହାର କିଛି ସମୟ‌ରେ ଟିଆରଏସ ନେତା ଯାଦବ ଏକ ଭିଡିଓ ଜାରି କରିଛନ୍ତି। ଯାଦବ କହିଛନ୍ତି, କାର୍‌ଟି ଆପେ ଆପେ ଅଟକିଯିବା ପରେ ଶାହଙ୍କ ସୁରକ୍ଷାକର୍ମୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

ସମ୍ବନ୍ଧିତ ଖବର