ତଳେ କଚାଡ଼ି ହୋଇ ବି ବଞ୍ଚିଗଲେ ୧୩,୫୦୦ ଫୁଟ୍‌ ଉଚ୍ଚରୁ ଘଣ୍ଟାପ୍ରତି ୨୦୦ କି.ମି. ବେଗରେ ଖସିଥିବା ମହିଳା ସ୍କାଏଡାଇଭର୍‌

ନୂଆଦିଲ୍ଲୀ: ପାରାସୁଟ୍‌ ଗୋଡ଼ରେ ଛନ୍ଦି ହୋଇଯିବାରୁ ୧୩,୫୦୦ ଫୁଟ୍‌ ଉଚ୍ଚରୁ ଘଣ୍ଟାପ୍ରତି ୨୦୦ କି.ମି. ବେଗରେ ଖସି ଆସି ତଳେ କଚାଡ଼ି ହୋଇ ପଡ଼ିଥିବା ଜଣେ ସ୍କାଏଡାଇଭର୍‌ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛନ୍ତି।

ଘଟଣାଟି ଗତବର୍ଷ ନଭେମ୍ବର ମାସରେ ଭର୍ଜିନିଆର ସଫୋକ୍‌ରେ ଘଟିଥିଲା। ଭର୍ଜିନିଆ ବିଚ୍‌ରେ ବାସ କରୁଥିବା ୩୫ ବର୍ଷୀୟ ଜୋର୍ଡାନ୍‌ ହ୍ୟାଟ୍‌ମେକର୍‌ ‘ଡାଉନ୍‌ପ୍ଲେନ୍‌’ ନାମରେ ଜଣାଶୁଣା ଏଭଳି ଏକ ବିରଳ ପରସ୍ଥିତିରେ ପଡ଼ି ମଧ୍ୟ ରକ୍ଷା ପାଇଯାଇଛନ୍ତି। ୧୩,୫୦୦ ଫୁଟ୍‌ ଉଚ୍ଚରେ ଉଡୁଥିବା ଗୋଟାଏ ବିମାନରୁ ଡେଇଁ ପଡ଼ିବା ପରେ ତାଙ୍କର ଦୁଇଟିଯାକ ‘ପାରାସୁଟ୍‌’ ବା ଆକାଶଛତା କାମ କରି ନ ଥିଲା।

ପ୍ରଥମ ପାରାସୁଟ୍‌ଟି ତାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଯାଇଥିଲା। ‘ରିଜର୍ଭ’ ବୋଲି କୁହାଯାଉଥିବା ଅନ୍ୟ ପାରାସୁଟ୍‌ଟି ଖୋଲିବା ଯିବା ପରେ ୨ଟିଯାକ ପାରାସୁଟ୍‌ ବିପରୀତ ଦିଗକୁ ଉଡ଼ିଯିବାରୁ ଶୂନ୍ୟରେ ଭୟଙ୍କର ଭାବେ ଘୂରି ଘୂରି ସେ ପୃଥିବୀ ଉପରକୁ ଖସି ଆସିଲେ।

Image Courtesy of MailOnline

ପାରାସୁଟ୍‌ର ‘ରିଲିଜ୍‌ କର୍ଡ’ ଟାଣିବାର ପ୍ରାୟ ୨୦ ସେକେଣ୍ଡ୍‌ ପରେ ସେ ଭୂଇଁରେ କଚଡ଼ା ଖାଇ ପଡ଼ିବାରୁ ତାଙ୍କର ମେରୁହାଡ଼, ଗୋଡ଼ ଓ ମଣିବନ୍ଧ ଭାଙ୍ଗି ଯାଇଥିଲା। ଏତେ କଷ୍ଟ ମଧ୍ୟରେ ବି ସେ ଚେତା ହରାଇ ନ ଥିଲେ। ସବୁ ଘଟଣା ତ୍ବରିତ ବେଗରେ ଘଟିଗଲା ବୋଲି ସେ କହୁଛନ୍ତି।

ଚିକିତ୍ସା ନିମନ୍ତେ ‌ତାଙ୍କୁ ଡାକ୍ତରଖାନାରେ ୪ ସପ୍ତାହ ରହିବାକୁ ପଡ଼ିଲା। କିନ୍ତୁ, ପୁଣି ଚାଲବୁଲ କରିବାକୁ ଲାଗିଲା ୩ ମାସ। ‘ଏଭରେଷ୍ଟ୍‌’ ବେସ୍‌କ୍ୟାମ୍ପ୍‌ ଆରୋହଣ କରିବା ପରେ ସେ ପୁଣି ଆକାଶରୁ ତଳକୁ ଡେଇଁବା ପାଇଁ ଯୋଜନା କରୁଛନ୍ତି। ଏଭରେଷ୍ଟ ଆରୋହଣ ନିମନ୍ତେ ସେ ପୂର୍ବରୁ ଯୋଜନା କରିଥିଲେ।

୨୦୧୫ରେ ପ୍ରଥମେ ‘ସ୍କାଏଡାଇଭ୍‌’ କରିବା ପରଠାରୁ ସେ ଏହାର ମାୟାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର