ଶେୟାର ବଜାର ଉପର ମୁହାଁ: ସେନସେକ୍ସ-ନିଫ୍ଟି ରେକର୍ଡସ୍ତରରେ, ବିଏସଇ ଇଣ୍ଡେକ୍ସ ୭୩,୭୪୫ ଅଙ୍କ ଛୁଇଁଲା

ମୁମ୍ବାଇ: ଭାରତୀୟ ‌ଶେୟାର ବଜାର‌ ଉପରମୁହାଁ ହୋଇଛି। ମାର୍ଚ୍ଚ ୧ ତାରିଖରେ ସେନସେକ୍ସ ଏବଂ ନିଫ୍ଟି ରେକର୍ଡସ୍ତରରେ ପହଞ୍ଚିଛି। ସେହିପରି ବିଏସଇ ଇଣ୍ଡେକ୍ସ ୧୨୦୦ ଅଙ୍କ ବୃଦ୍ଧି ପାଇ ୭୩,୭୪୫ ଛୁଇଁଛି। ନିଫ୍ଟିରେ ୩୪୪ ଅଙ୍କ ବୃଦ୍ଧି ଦୃଷ୍ଟିଗୋଚର ହୋଇଛି। ଏହା ୨୨,୩୨୭ ରେକର୍ଡସ୍ତରୀୟ ଅଙ୍କରେ ପହଞ୍ଚିଛି। ସେନସେକ୍ସ ଏବଂ ନିଫ୍ଟି ଉପରମୁହାଁ ହେବାର ମୁଖ୍ୟ କାରଣ ହେଉଛି ଗତ ତ୍ରୟମାସିକରେ ହୋଇଥିବା ଦ୍ରୁତତମ ଜିଡିପି ବୃଦ୍ଧି। ଉଭୟ ସୂଚକାଙ୍କରେ ତାଲିକାଭୁକ୍ତ ହୋଇଥିବା ୧୩ କ୍ଷେତ୍ର ମଧ୍ୟରୁ ୧୦‌ଟିରେ ଶ୍ରେଷ୍ଠତମ ଲାଭ ପଞ୍ଜିକୃତ ହୋଇଛି।

ଭାରତୀୟ ଅର୍ଥବ୍ୟବସ୍ଥାରେ ଡିସେମ୍ବର ୨୦୨୩ ତ୍ରୟମାସରେ ୮.୪ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହା ସହିତ ବିଶ୍ବ ବଜାରରେ ନିବେଶକଙ୍କ ନିବେଶରେ ବୃଦ୍ଧି ଘଟିଛି। ଏସଆଣ୍ଡପିରେ ୫୦୦ ଏବଂ ନେସଡେକ କମ୍ପୋଜିଟ ରେକର୍ଡସ୍ତରରେ ପହଞ୍ଚିଛି। ୱାଲ ଷ୍ଟ୍ରିଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି।

ଏହାଦ୍ବାରା ଆମେରିକା ମୁଦ୍ରାସ୍ପୀତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିଛି। ଫଳରେ ଫେଡେରାଲ ରିଜର୍ଭରେ ଜୁନରେ ସୁଧହାର ହ୍ରାସ ହେବାର ସମ୍ଭାବନା ବଢ଼ିଛି।

ବିଦେଶୀ ନିବେଶକ ନିବେଶ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଥିବାବେଳେ ୨୯ ଫେବ୍ରୁଆରୀରେ ୩,୫୬୮ କୋଟି ଟଙ୍କାର ଶେୟାର କ୍ରୟ କରିଥିଲେ। ସେହିପରି ଘରୋଇ ନିବେଶକ ୨୩୦ କୋଟି ଟଙ୍କାର ‌ଶେୟାର ବିକ୍ରି କରିଥିଲେ। ଫେବ୍ରୁଆରୀରେ ବିଦେଶୀ ନିବେଶକ ୫,୧୦୭ କୋଟି ଟଙ୍କାର ଭାରତୀୟ ଇକ୍ବିଟି କିଣିଥିଲେ। ସେହିପରି ଜାନୁଆରୀ‌ରେ ୨୫,୦୦୦ କୋଟି ଟଙ୍କାର କାରବାର ହୋଇଥିଲା। ଗତ ୧୦ ବର୍ଷ ଧରି ବିଦେଶୀ ନିବେଶକ ମୁଖ୍ୟତଃ ମାର୍ଚ୍ଚ ମାସରେ ଶେୟାର କିଣୁଥିବାର ଧାରା ଲାଗି ରହିଛି ବୋଲି ଶେୟାର ବଜାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର