କାଲି ସୁଦ୍ଧା ନିର୍ବାଚନ ବଣ୍ଡ ସଂପର୍କିତ ସବିଶେଷ ତଥ୍ୟ ଦାଖଲ କର: ‌ଷ୍ଟେଟ୍‌ ବ୍ୟାଙ୍କ୍‌କୁ କହିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନା ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କୁ ଆସନ୍ତା ୧୨ ତାରିଖ (କାଲି) ସୁଦ୍ଧା ନିର୍ବାଚନ ଆୟୋଗ (ଇସି)ରେ ବଣ୍ଡ ଦାତାମାନଙ୍କ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ୍‌ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି।

ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଦଙ୍କ ଦ୍ବାରା ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମାର୍ଚ ୬ ତାରିଖ ସୁଦ୍ଧା ଇସିରେ ନିର୍ବାଚନ ବଣ୍ଡ କ୍ରୟର ସମସ୍ତ ବିବରଣୀ ପ୍ରଦାନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୂର୍ବ ନିର୍ଦ୍ଦେଶକୁ ବ୍ୟାଙ୍କ୍‌ ପାଳନ କରିନାହିଁ।  ଗତ ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ବୋଲି କହିଥିଲେ। ତା’ପରେ ମାର୍ଚ ୬ ତାରିଖ ସୁଦ୍ଧ‌ା ୨୦୧୯ ମସିହା ଏପ୍ରିଲ୍‌ ୧୨ଠାରୁ ନେଇ ଏବେ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନୀ ବଣ୍ଡ କ୍ରୟର ବିବରଣୀ ଇସି ନିକଟରେ ଜମା କରିବାକୁ ଏସ୍‌ବିଆଇକୁ ‌ନିର୍ଦ୍ଦେଶ ଦେଇଥିଲେ। ତା’ପରେ ପୁଣି ଥରେ ମାର୍ଚ ୧୩ ତାରିଖ ସୁଦ୍ଧା ଇସି ୱେ୍‌ସାଇଟ୍‌ରେ ସମସ୍ତ ବିବରଣୀ ଅପ୍‌ଲୋଡ ହେବା ଉଚିତ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ହେଲେ ମାର୍ଚ ୪ ତାରିଖ ଦିନ ବ୍ୟାଙ୍କ୍‌ ଅଦାଲତଙ୍କୁ ଆହୁରି ସମୟ ମାଗିଥିଲା। ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ୍‌ ସମୟ ମାଗିଥିବା ବେଳେ କୋର୍ଟ ଏନେଇ ପ୍ରଶ୍ନ କରିଛନ୍ତି। ଗତ ୨୬ ଦିନ ଭିତରେ ବ୍ୟାଙ୍କ୍‌ ଏ ସଂକ୍ରାନ୍ତ‌ରେ କ’ଣ କାମ କରିଛି ବୋଲି ଅଦାଲତ ଦର୍ଶାଇବାକୁ କହିଛନ୍ତି।

ଜଷ୍ଟିସ୍‌ ସଂଜୟ ଖାନ୍ନା କହିଛନ୍ତି, ‘‘ଏଭଳି ଭାବେ ସମୟ ଘୁଞ୍ଚାଇବା ନିହାତି ଭାବେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ। ଆମର ବିଚାର କାଚ ପରି ସଫା।’’

ସମ୍ବନ୍ଧିତ ଖବର