ଆଗାମୀ ମାସରେ ଥିଲା ବାହାଘର ଦୋଳି ନେଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ: ବିହାରର ମୋତିହାରୀରେ ଏକ ମେଳା‌ର ଆୟୋଜନ କରାଯାଇଥିଲା। ଏହି ମେଳାରେ ଦୋଳି ଛିଣ୍ଡି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇଛି। ମୃତ ଯୁବତୀଙ୍କ ନାମ ପ୍ରିୟା କୁମାରୀ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିହାରର ମୋତିହାରୀରେ ଲାଗିଥିବା ମେଳାରେ ଅନେକ ଦୋଳି ପଡ଼ିଥିଲା। ପ୍ରିୟା କୁମାରୀ ତାଙ୍କ ସାଙ୍ଗମାନଙ୍କ ସହିତ ମେଳା ବୁଲିବାକୁ ଆସିଥିଲେ। ମେଳା ବୁଲୁଥିବା ସମୟରେ ସେ ଓ ତାଙ୍କ ସାଙ୍ଗମାନେ ଡ୍ରାଗନ ଦୋଳିରେ ବସିଥିଲେ। ଦୁର୍ଭାଗ୍ୟବଶତଃ ଏହି ଦୋଳି ଛିଣ୍ଡି ଯାଇଥିଲା। ଯେଉଁ କାରଣରୁ ପ୍ରିୟା କୁମାରୀ ତଳକୁ ଝିଟିକି ପଡ଼ିଥିଲେ ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ‌ବେଳେ ରୁବି କୁମାରୀଙ୍କ ସମେତ ଅନ୍ୟ ୪ଜଣ ଯୁବତୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଖବର ପାଇ କଲ୍ୟାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାାଇଁ ଭର୍ତ୍ତି କରାଯାଇଛି।

ମୃତ ପ୍ରିୟାଙ୍କ ପରିବାରଲୋକଙ୍କ କହିବାନୁସାରେ, ‘ଝିଅ ପ୍ରିୟାର ବାହାଘର ଆଗାମୀ ମାସରେ ହେବା‌ର ଥିଲା। ତେଣୁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସାରି ସାରିଛି। ଆମେ ଝିଅକୁ ମେଳା ଯିବାକୁ ମନା କରୁଥିଲୁ କିନ୍ତୁ ତାର ଏଥର ବାପ ଘରେ ଶେଷଥର ମେଳା ବୁଲା ଥିବାରୁ ଆମେ ତାକୁ ଛାଡ଼ି ଦେଇଥିଲୁ। କିନ୍ତୁ ସେ ଯେ ଆମ ସମସ୍ତଙ୍କୁ ଏମିତି ପର କରି ଚାଲିଯିବ ‌କେବେ ବି ଭାବି ନଥିଲୁ।’

ସମ୍ବନ୍ଧିତ ଖବର