ପାନାଜୀ: ଜଣେ ଶିକ୍ଷକ ବିଦ୍ୟାଳୟର ଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଛାତ୍ରକୁ ଗାଳି ଦେବା କିମ୍ବା କିଛି ଯୁକ୍ତିଯୁକ୍ତ ଦଣ୍ଡ ଦେବା ଏକ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ କହିଛନ୍ତି। ଏଥିସହ ଦୁଇଜଣ ସ୍କୁଲ ପିଲାଙ୍କୁ ବାଡ଼ିରେ ପିଟିବା ଅଭିଯୋଗରେ ଦିନକ ପାଇଁ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କାର ଆର୍ଥିକ ଜୋରିମାନାରେ ଦଣ୍ଡିତ ହୋଇଥିବା ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଦଣ୍ଡାଦେଶକୁ ଖାରଜ କରି ଦେଇଛନ୍ତି।

Advertisment

ଏକ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଏହି ଘଟଣା ସମ୍ପୂର୍ଣ୍ଣ ସ୍ୱାଭାବିକ। ଛାତ୍ରମାନଙ୍କୁ ଶୃଙ୍ଖଳିତ କରିବା ଏବଂ ସେମାନଙ୍କ ମଧ୍ୟରେ ଭଲ ଅଭ୍ୟାସ ସୃଷ୍ଟି କରିବା ପାଇଁ ଶିକ୍ଷକ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ ଏବଂ ଏଥିପାଇଁ ବେଳେବେଳେ ଟିକେ କଠୋର ହେବାକୁ ମଧ୍ୟ ବାଧ୍ୟ ବୋଲି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚର ଏକକ ବିଚାରପତି ଜଷ୍ଟିସ ଭାରତ ଦେଶପାଣ୍ଡେ ରାୟ ଦେଇଛନ୍ତି।

ଛାତ୍ରମାନଙ୍କୁ କେବଳ ଶିକ୍ଷାଦାନ ଉଦ୍ଦେଶ୍ୟରେ ନୁହେଁ; ବରଂ ଜୀବନର ଅନ୍ୟାନ୍ୟ ଦିଗ ଶିଖିବା ପାଇଁ ବିଦ୍ୟାଳୟରେ ଭର୍ତ୍ତି କରାଯାଏ, ଯେଉଁଥିରେ ଅନୁଶାସନ ଅନ୍ତର୍ଭୁକ୍ତ। ବିଦ୍ୟାଳୟର ଉଦ୍ଦେଶ୍ୟ କେବଳ ମାତ୍ର ଶୈକ୍ଷିକ ବିଷୟ ଶିକ୍ଷା ଦେବା ନୁହେଁ; ବରଂ ଜୀବନର ସମସ୍ତ ଦିଗରେ ଏହିପରି ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା ଯାହା ଦ୍ୱାରା ଭବିଷ୍ୟତରେ ସେ ଜଣେ ଉପଯୁକ୍ତ ଓ ଆଦର୍ଶ ବ୍ୟକ୍ତି ହେବେ ଭଲ ଆଚରଣ ପ୍ରଦର୍ଶନ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ସମାଜରେ ଶିକ୍ଷକମାନଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଏ। ସେମାନେ ଆମର ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ। ଯଦି ଶିକ୍ଷକମାନେ ତୁଚ୍ଛ ବିଷୟ ପାଇଁ ଏପରି ଅଭିଯୋଗର ଭୟରେ ଥାଆନ୍ତି ଏବଂ ପିଲାମାନଙ୍କୁ ସଂଶୋଧନ କରିବା ସମୟରେ ଅଧିକ ସଚେତନ ହେବେ ତେବେ ବିଦ୍ୟାଳୟ ପରିଚାଳନା କରିବା କଷ୍ଟକର ହେବ। ଯାହା ଦ୍ୱାରା ଉପଯୁକ୍ତ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ଏବଂ ଅନୁଶାସନ ବଜାୟ ରଖିବା ଅସମ୍ଭବ ହୋଇପଡ଼ିବ। ଏକ ସଭ୍ୟ ସମାଜ ଏକ ସଭ୍ୟ ଯୁବ ପିଢ଼ି ଆବଶ୍ୟକ କରେ ଯାହା ପରସ୍ପରକୁ ସମ୍ମାନ ଦେବ ଏବଂ ଏହାକୁ ଦେଶର ଭବିଷ୍ୟତ ପିଢ଼ି ଭାବରେ ବିବେଚନା କରାଯିବ ବୋଲି ହାଇକୋର୍ଟ କହିଛନ୍ତି।