ଅଧିକ ସକ୍ରିୟ ମାମଲା ଥିବା ୪ ରାଜ୍ୟରେ ଟେଷ୍ଟିଂ କମ୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆମେରିକ‌ା, ବ୍ରାଜିଲ୍‌ ଏବଂ ରୁଷ୍‌ ପରେ ଭାରତରେ କୋଭିଡ-୧୯ ସକ୍ରିୟ ମାମଲା ଅଧିକ ରହିଛି। ତେବେ ଭାରତର ସର୍ବାଧିକ ସକ୍ରିୟ ମାମଲା ଥିବା ୫ଟି ରାଜ୍ୟରୁ ୪ଟିରେ କରୋନାଭାଇରସ୍‌ ଟେଷ୍ଟିଂ ବହୁତ କମ୍‌ ରହୁଛି। ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ, ଗୁଜରାଟ ଏବଂ ପଶ୍ଚିମବଙ୍ଗରୁ ଦେଶର ୨ ତୃତୀୟାଂଶ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଦେଶରେ ମୋଟ୍‌ ସକ୍ରିୟ ମାମଲାର ଏକ ତୃତୀୟାଂଶ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ଉପରୋକ୍ତ ୫ଟି ରାଜ୍ୟରେ ଟିପିଆର (ଟେଷ୍ଟ୍‌ ପଜିଟିଭିଟି ରେଟ୍‌) ବଢ଼ୁଛି। କେବଳ ତାମିଲନାଡ଼ୁକୁ ଛାଡ଼ିଦେଲେ ଅନ୍ୟ ୪ଟି ରାଜ୍ୟରେ ଟେଷ୍ଟିଂ ବହୁତ କମ୍‌ ରହୁଛି। ମହାରାଷ୍ଟ୍ରକୁ ଟପି ଜାତୀୟ ରାଜଧାନୀ ଦିଲ୍ଲୀରେ ଟିପିଆର ସର୍ବାଧିକ ରହିଛି। ଦିଲ୍ଲୀରେ ପ୍ରତି ୪ ଟେଷ୍ଟ୍‌ରେ ଜଣେ ପଜିଟିଭ୍‌ ରହୁଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ପ୍ରତି ୫ଟି ଟେଷ୍ଟ୍‌ରେ ଜଣେ ପଜିଟିଭ୍‌ ବାହାରୁଛନ୍ତି। ଜୁନ୍‌ ୯ ରେ ଦିଲ୍ଲୀରେ ଟିପିଆର ୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଏହାର ସପ୍ତାହକ ତଳେ ଦିଲ୍ଲୀରେ ଟିପିଆର ୧୫ ପ୍ରତିଶତ ଥିଲା।

ଦିଲ୍ଲୀରେ ‌ସାପ୍ତାହିକ ଟେଷ୍ଟିଂ ତଥ୍ୟରୁ ଜଣାପଡ଼ିଛି ଯେ, ଜୁନ୍‌ ୩ରେ ଦିଲ୍ଲୀରେ ୬,୫୪୩ ଟେଷ୍ଟ୍‌ ହୋଇଥିବାବେଳେ ଜୁନ୍‌ ୯ରେ ଦିଲ୍ଲୀ ୫,୩୫୩ ଟେଷ୍ଟ୍‌ କରିଛି। ଏହି ସମୟ ମଧ୍ୟରେ ଦିଲ୍ଲୀ‌ରେ ମାମଲା ୪୧ ପ୍ରତିଶତ ବଢ଼ିଥିବା ବେଳେ ଟେଷ୍ଟିଂ କମ୍‌ ରହିଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଟିପିଆର ୧୯ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ମଧ୍ୟ ଟେଷ୍ଟିଂ କମ୍‌ ରହିଛି। ମେ’ ୨୯ରେ ମହାରାଷ୍ଟ୍ର ୧୪ ହଜାର ୩୯୭ ଟେଷ୍ଟ୍‌ କରିଥିବା‌ବେଳେ ଜୁନ୍‌ ୯ରେ ଏହା ୧୩ ହଜାର ୪୨୧ ଟେଷ୍ଟ୍‌ କରିଛି। ଅର୍ଥାତ୍‌ ଦୈନିକ ଟେଷ୍ଟିଂ ମହାରାଷ୍ଟ୍ରରେ ୭ ପ୍ରତିଶତ କମିଛି। ଦେଶରେ ତୃତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟ ତାମିଲନାଡ଼ୁରେ ଗତ ସପ୍ତାହରେ ପ୍ରତି ୧୦ ଜଣରେ ଜଣେ କରୋନା ପଜିଟିଭ୍‌ ବାହାରୁଥିଲେ। ଏବେ ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ପାଇଛି। ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ଟିପିଆର ଯଥାକ୍ରମେ ୮ ଏବଂ ୪ ପ୍ରତିଶତରୁ ଅଧିକ ରହୁଛି। ଏହି ୨ଟି ରାଜ୍ୟରେ ଟେଷ୍ଟିଂ ବହୁତ କମ୍‌ ରହିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଦେଶର ୭୦ ପ୍ରତିଶତ ସକ୍ରିୟ ମାମଲାରେ ଏବେ ୫ଟି ରାଜ୍ୟରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୪ ପ୍ରତିଶତ ସକ୍ରିୟ ମାମଲା ଥିବା ଥିବା ବେଳେ ତାମିଲନାଡ଼ୁରେ ୧୨ ପ୍ରତିଶତ, ଗୁଜରାଟରେ ୪ ପ୍ରତିଶତ, ପଶ୍ଚିମବଂଗରେ ୩.୭ ପ୍ରତିଶତ ଏବଂ ଦିଲ୍ଲୀରେ ୧୪ ପ୍ରତିଶତ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର