ବିନା ବିତର୍କରେ କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହୀତ; ଆନ୍ଦୋଳନରେ ମୃତ ୭୫୦ କୃଷକଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି: ରାକେଶ ଟିକାୟତ

ଏମ୍‌ଏସ୍‌ପି ଆଇନ ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ

ନୂଆଦିଲ୍ଲୀ: ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦରେ ବିବାଦୀୟ ତିନି କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହୀତ ହୋଇଛି। ବାଚନିକ ଭୋଟ୍‌ରେ ବିଲ୍ ଗୃହୀତ ହୋଇଛି। ମଧ୍ୟାହ୍ନ ୧୨ଟା ୬ ମିନିଟ୍‌ରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ କୃଷି ଆଇନ ଉଚ୍ଛେଦ ବିଲ୍‌ ୨୦୨୧ ଆଗତ କରିଥିଲେ। ଏହାର ୪ ମିନିଟ ମଧ୍ୟରେ ୧୨ଟା ୧୦ ବେଳକୁ ବିଲ୍‌ଟି ଗୃହୀତ ହୋଇଥିଲା। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବିଲ୍‌ ଉପରେ ଆଲୋଚନା ଦାବି କରିଥିଲେ। କିନ୍ତୁ ବାଚସ୍ପତି ଓମ୍‌ ପ୍ରକାଶ ବିର୍ଲା ଅନୁମତି ଦେଇ ନଥିଲେ। ଏହାପରେ କୃଷିମନ୍ତ୍ରୀ ତୋମାର ଅପରାହ୍ଣ ଦୁଇଟା ପରେ ରାଜ୍ୟସଭାରେ ଉକ୍ତ ବିଲ୍ ଆଗତ କରିଥିଲେ। ବିଲ୍‌ ଗୃହୀତ ହେବା ପୂର୍ବରୁ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ କହିବାକୁ ଅନୁମତି ଦେଇଥିଲେ। ଖଡ୍‌ଗେ କହିଥିଲେ ଯେ ନିକଟରେ ଅନୁଷ୍ଠିତ ଉପନିର୍ବାଚନ ଫଳକୁ ବିଶ୍ଳେଷଣ କରିବା ପରେ ଆଗାମୀ ଦିନରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ଆଇନ ପ୍ରତ୍ୟାହାର କରିଛନ୍ତି। କୃଷିମନ୍ତ୍ରୀ ବିଲ୍‌ ଆଗତ କରି କହିଥିଲେ, ଚାଷୀଙ୍କ ହିତ ପାଇଁ ୩ଟି ଯାକ ନୂଆ ଆଇନ ଅଣାଯାଇଥିଲା। କିନ୍ତୁ ସରକାର ଆନ୍ଦୋଳନରତ କୃଷକଙ୍କୁ ନୂଆ କୃଷି ଆଇନର ଭଲଦିଗ ସଂପର୍କରେ ବୁଝାଇ ପାରିଲେ ନାହିଁ। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଉଭୟ ସରକାର ଏବଂ ବିରୋଧୀ ଦଳ ଆଇନ ଉଚ୍ଛେଦ କରିବାକୁ ଚାହୁଛନ୍ତି। ତେଣୁ ଆଲୋଚନାର କୌଣସି ଆବଶ୍ୟକତା ନାହିଁ। କଂଗ୍ରେସ ଓ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଏହାର ପ୍ରତିବାଦ କରିଥିଲେ।

୩ଟି ଆଇନ ଉଚ୍ଛେଦ ପାଇଁ ଗୋଟିଏ ବିଲ୍ ଆଗତ ହୋଇଥିଲା। ଏହି ବିଲ୍ ଗୃହୀତ ହେବା ଫଳରେ ଗତବର୍ଷ ସରକାର ପ୍ରଣୟନ କରିଥିବା ୩ ବିବାଦୀୟ ଆଇନ ଯଥା କୃଷି ସାମଗ୍ରୀ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ସଂକ୍ରାନ୍ତ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଆଇନ-୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ-୨୦୨୦ ପ୍ରତ୍ୟାହୃତ ହୋଇଛି। ବିଲ୍ ଗୃହୀତ ହେବା ପୂର୍ବରୁ ଆଇନ ଉଚ୍ଛେଦ ଦାବିରେ ସଂସଦ ଭବନ ପରିସରରେ କ‌ଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଗାନ୍ଧୀ ମୂର୍ତ୍ତି ତଳେ ଦଳର ସାଂସଦମାନେ ପ୍ରତିବାଦ କରିଥିଲେ। ଆଇନ ଉଚ୍ଛେଦକୁ କୃଷକ ନେତା ରାକେଶ ଟିକାୟତ ସ୍ବାଗତ କରିଛନ୍ତି। ଲୋକସଭାରେ କୃଷି ଆଇନ ଉଚ୍ଛେଦ ବିଲ୍‌-୨୦୨୧ ଗୃହୀତ ହେବା ଆନ୍ଦୋଳନରେ ଜୀବନ ହରାଇଥିବା ୭୫୦ କୃଷକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି। ଏମ୍‌ଏସ୍‌ପି ସମେତ ଅନ୍ୟ ପ୍ରସଙ୍ଗର ସମାଧାନ ହୋଇ ନଥିବାରୁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୃଷକମାନେ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ ଆାନ୍ଦୋଳନ ଚଳାଇଛନ୍ତି। ତେବେ ଚଳିତମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂରଦର୍ଶନ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଏହି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲେ। ଏହାପରେ କ୍ୟାବିନେଟ୍ ଉକ୍ତ ବିଲ୍‌କୁ ଗତ ବୁଧବାର ମଞ୍ଜୁରି ଦେଇଥିଲା। ଆଜି ରାତିରେ ରାଷ୍ଟ୍ରପତି ଏହି ବିଲ୍‌ରେ ଦସ୍ତଖତ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର