ସଂସଦର ପାଞ୍ଚଟି ଅଧିବେଶନକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ, ବିରୋଧ କଲା ପ୍ରେସ୍‌ କ୍ଲବ ଅଫ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ଅଭିଯୋଗ କରିଛି, ଚଳିତ ଶୀତକାଳୀନ ଅଧିବେଶନ ସମେତ ସଂସଦର ପାଞ୍ଚଟି ଅଧିବେଶନକୁ ଗଣମାଧ୍ୟମ ପ୍ରତିନିଦଇମାନଙ୍କୁ ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଚିଠି ଲେଖି ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ଅଭିଯୋଗ କରିଛି, ସଂସଦ ତଥା ସାଂସଦମାନଙ୍କୁ ଗଣମାଧ୍ୟମଠାରୁ ପୃଥକ କରିବା ଉଦ୍ଦେଶ୍ୟରେ ଗତ ଦେଢ଼ ବର୍ଷ ହେଲା ସେମାନଙ୍କୁ ପ୍ରେସ୍‌ ଗ୍ୟାଲେରୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଆଜି ଶୀତ ଅଧିବେଶନର ପ୍ରଥମ ଦିନ। ଏହି ଅଧିବେଶନରେ ମଧ୍ୟ ସାମ୍ବାଦିକମାନଙ୍କୁ ଚତୁରତାର ସହ ପ୍ରେସ୍ ଗ୍ୟାଲେରୀରୁ ଦୂରେଇ ରଖାଯାଇଛି। ସାମ୍ବାଦିକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ଏହା ଗଣମାଧ୍ୟମର ପ୍ରବେଶକୁ ରୋକିବା ପାଇଁ ପ୍ରତିବନ୍ଧକର ଏକ ନୂତନ ଫର୍ମାଟ୍ ବୋଲି ପ୍ରେସ୍‌ କ୍ଲବ ଅଫ୍‌ ଇଣ୍ଡିଆ ଟୁଇଟ୍ କରିଛି। ପୂର୍ବରୁ ସଂସଦ କର୍ତ୍ତୃପକ୍ଷ କୋଭିଡ କଟକଣା ଦର୍ଶାଇ ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ କରିଥିଲେ। ସମ୍ପ୍ରତି ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ୍ ଖୋଲିଛି। ତେଣୁ ପ୍ରେସ୍‌ ଗ୍ୟାଲେରୀକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏପରି ପ୍ରତିବନ୍ଧକର ଆବଶ୍ୟକତା ନାହିଁ ବୋଲି ସଂଗଠନ ଚିଠି ଲେଖିଛି।

ଚିନ୍ତାର ବିଷୟ ହେଉଛି, ସଂସଦ ଏବଂ ସାଂସଦମାନଙ୍କୁ ଗଣମାଧ୍ୟମଠାରୁ ଦୂରେଇ ରଖିବା ପାଇଁ ଏକ ଉଦାସୀନ ଧାରା ସୃଷ୍ଟି ହେଉଛି। ଏହି ଧାରା ସଂସଦୀୟ ଗଣତନ୍ତ୍ରର ଅସୁସ୍ଥତାକୁ ଦର୍ଶାଉଛି। ଏହି ଖୋଲା ସେନ୍ସରସିପ୍ ଅଧିକ ସମୟ ଜାରି ରହିବ ନାହିଁ। ଏହି ସଂଗଠନ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀଙ୍କ ମାଧ୍ୟମରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଲେଖିଥିବା ଏକ ଚିଠିକୁ ଟ୍ୱିଟ କରିଛନ୍ତି। ଏହି ଚିଠିରେ ସେ ସଂସଦ କ୍ୟାମ୍ପସରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବା ଏବଂ ମୁକ୍ତ ଓ ନିରପେକ୍ଷ ଭାବରେ ସଂସଦର ପ୍ରକ୍ରିୟାକୁ କଭରେଜ୍ କରିବାକୁ ସେ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର