ଚୀନ୍‌ର ଚରିତ୍ର ବଦଳିବନି, ଭାରତକୁ ଅଧିକ କିଛି କରିବାକୁ ହେବ

ନୂଆଦିଲ୍ଲୀ: ଗତ ମାସ ୧୫ ତାରିଖରେ ବାସ୍ତବ ସୀମାରେଖାର ଲଦାଖ ସୀମାନ୍ତ ଗଲଵାନ୍‌ ଉପତ୍ୟକାରେ ଚୀନୀ ସେନାକୁ ଭାରତୀୟ ପ୍ରତିପକ୍ଷ ଜୋରଦାର୍ ପ୍ରତିରୋଧ କରିଛନ୍ତି। ଚୀନ୍‌ର ବିସ୍ତାରବାଦୀ ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଠୋର ଆଭିମୁଖ୍ୟ ଚୀନ୍ ପ୍ରଶାସନକୁ ପଛକୁ ଫେରିବାକୁ ବାଧ୍ୟ କରିଛି। ବେଂଜିଂ ପ୍ରଶାସନର ଯୋଜନାବଦ୍ଧ ଭାବେ ବଜାୟ ରହିଥିବା ଅପରାଜେୟ ଭାବମୂର୍ତ୍ତିକୁ ଚୂର୍ଣ୍ଣ କରିବାରେ ଭାରତର ଶାଣିତ ଜବାବ ମଧ୍ୟ ଯଥେଷ୍ଟ ହୋଇପାରିଛି। ତେବେ ଏ ସବୁ ସତ୍ତ୍ବେ ଭାରତର ଶାନ୍ତି ଓ ସ୍ଥିରତା ପ୍ରତି ଚୀନ୍‌ ପଟୁ ଦେଖାଦେଇ ଆସୁଥିବା ବିପଦ ସମ୍ପୂର୍ଣ୍ଣ ଭାବେ ଟଳିଯାଇନି। ଉଭୟ ପକ୍ଷ ସହମତ ହୋଇଥିବା ୩ କିମି ଅସ୍ଥାୟୀ ନିରପେକ୍ଷ ଅଞ୍ଚଳଠାରୁ ଚୀନୀ ସେନା ଏବେ ଦେଢ଼ କିମି ପଛକୁ ହଟିଯିବେ ବୋଲି ଆଶା କରାଯାଉଛି। ଅବଶ୍ୟ ଏ କଥା ସଂପନ୍ନ କଲା ବେଳେ ସେମାନଙ୍କ ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ ଓ ଗୋଳାବାରୁଦ ଖୁବ୍ ଦୂରକୁ ଫେରିଯାଇପାରେ, ମାତ୍ର ଆବଶ୍ୟକ ସ୍ଥଳେ ଯେ କୌଣସି ସମୟରେ ସେଗୁଡ଼ିକ ଆହୁରି ନିକଟକୁ ଆସିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏବେକାର ସ୍ଥିତି ୧୯୬୨ ଜୁଲାଇରେ ଅନୁରୂପ ଗଲଵାନ୍ ସଂଘର୍ଷ ପରେ ସେମାନେ କରିଥିବା କାରନାମାକୁ ମନେ ପକାଇ ଦେଇଛି। ସେତେବେଳେ ସେମାନେ ମଧ୍ୟ ପ୍ରଥମେ ପଛକୁ ହଟି ଘଟଣାର ତିନି ମାସ ପରେ ଆହୁରି ବିପୁଳ ଅସ୍ତ୍ରଶସ୍ତ୍ର ଧରି ସେଠାରେ ପହଞ୍ଚି ସାନି ଆକ୍ରମଣ ଭିଆଇଥିଲେ ଏବଂ ଭାରତୀୟ ସେନାକୁ ହାର୍ ମାନିବାକୁ ପଡ଼ିଥିଲା। ସୁତରାଂ ଚୀନ୍ କୌଣସି ସାମରିକ ପଦକ୍ଷେପ ନେଲାବେଳେ କି କୌଣସି ସ୍ବାକ୍ଷରିତ ରାଜିନାମାର ଉଲ୍ଲଂଘନ କଲାବେଳେ ନୂଆଦିଲ୍ଲୀକୁ ଅଧିକ ବାଜି ଲଗାଇବାକୁ ହେବ। କାରଣ ମହାଶକ୍ତିଶାଳୀ ହେବାର ନିଶା ଚୀନ୍‌କୁ କେବେ ପଛକୁ ଫେରାଇନେବନି। ତାହାକୁ ଦୃଷ୍ଟିରେ ରଖି ଭାରତକୁ ଅନୁରୂପ ପ୍ରସ୍ତୁତି କରିବାକୁ ହେବ।

ଏ କଥା ମଧ୍ୟ ସ୍ପଷ୍ଟ ଯେ ଗଲଵାନ୍‌ ଉପତ୍ୟକା ଓ ଲଦାଖର ଅନ୍ୟାନ୍ୟ ଅଞ୍ଚଳକୁ ସାମରିକ ଦଖଲ କରିବା ଚୀନୀ ସେନାର ତତ୍କାଳ ଇଚ୍ଛା ନୁହେଁ। ଅପରପକ୍ଷେ, ଯୋଜନାବଦ୍ଧ ଭାବେ ଜିନ୍‌ପିଙ୍ଗ୍‌ ସରକାର ଏହାକୁ କାର୍ଯ୍ୟକାରୀ କରାଉଥିଲେ। ଅଳ୍ପ କିଛି ଚୀନୀ ସେନା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ଘଟଣାସ୍ଥଳରୁ କିଛି ବାଟ ଦୂରରେ ହିଁ ବିପୁଳ ସୈନ୍ୟ ଓ ଯୁଦ୍ଧାସ୍ତ୍ର ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମରିକ ଭିତ୍ତିଭୂମି ସେମାନଙ୍କୁ ଅପେକ୍ଷା କରି ରହିଥିଲା। ସୁତରାଂ ଏପରି ପରିସ୍ଥିତିର ସଫଳ ମୁକାବିଲା ସହ ଚୀନ୍‌ ସହ ଲଢ଼େଇ ପାଇଁ ଆମକୁ ମଧ୍ୟ ଅନୁରୂପ ଭାବେ ଜାଗ୍ରତ ହେବାକୁ ପଡ଼ିବ। ନିକଟରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍‌ ଡୋଭାଲ ଓ ଚୀନୀ ବିଦେଶ ମନ୍ତ୍ରୀ ଵାଙ୍ଗ୍‌ ଵିଙ୍କ ମଧ୍ୟରେ ଆଲୋଚନା ପରେ କୌଣସି ମିଳିତ ବକ୍ତବ୍ୟ ପ୍ରକାଶ ପାଇନାହିଁ। ସମ୍ପ୍ରତି କୋଭିଡ୍‌ ଜନିତ ସଙ୍କଟ ଏବଂ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନୀ ସେନାର ଗତିବିଧି ନିରୀକ୍ଷଣ କରିବାରେ ଆମ ଗୁଇନ୍ଦା ବିଭାଗ ଯଥେଷ୍ଟ ସକ୍ଷମ। ଭାରତର ସାମରିକ ଶକ୍ତି ଚୀନ୍‌ ତୁଳନାରେ ସମକକ୍ଷ ନହେଲ ବି ଲଦାଖକୁ ଚୀନ୍‌ ସରକାର ପଠାଉଥିବା ଯେ କୌଣସି ପରିମାଣର ସେନାବଳକୁ ଭାରତ ମୁକାବିଲା କରିପାରିବ। ଏପରିକି ଯଦି ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ରାଷ୍ଟ୍ର ଭାରତକୁ ସହଯୋଗ କରିବାକୁ ମନ ବଳାନ୍ତି, ତେବେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବଳିଷ୍ଠ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ମାସ ମାସ ଲାଗିଯାଇପାରେ। ସୁତରାଂ ଭାରତକୁ ଆହୁରି ଅଧିକ କିଛି କରିବାକୁ ହେବ। ପ୍ରଥମତଃ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଆମର ଯୋଗାଯୋଗକୁ ସୁଗମ କରିବାକୁ ହେବ। ସେଥିପାଇଁ ରାସ୍ତାଘାଟ ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନ୍ବିତ କରିବା ସହ ହିମାଳୟ ଇଲାକାରେ ଆମର ରେଳପ୍ରକଳ୍ପକୁ ମଧ୍ୟ ସମ୍ପ୍ରସାରିତ କରିବାକୁ ହେବ। ସେହିପରି ସଂଖ୍ୟାଧିକ ବିମାନ ଅବତରଣ କେନ୍ଦ୍ର ନିର୍ମାଣ କରିବାକୁ ହେବ। ପାର୍ବତ୍ୟାଞ୍ଚଳରେ ପର୍ଯ୍ୟଟନର ବିକାଶ ମଧ୍ୟ ପରୋକ୍ଷରେ ପରିସ୍ଥିତିକୁ ଆହୁରି ସହଜ କରିଦେବ।

ସମ୍ବନ୍ଧିତ ଖବର