ପତ୍ନୀଙ୍କୁ ଭରଣପୋଷଣ ଦେଇ ନପାରି ଜେଲ୍‌ ଗଲେ ସ୍ବାମୀ

ନୂଆଦିଲ୍ଲୀ: ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ମାସିକ ୧.୭୫ ଲକ୍ଷ ଟଙ୍କାର ଭରଣପୋଷଣ ସହିତ ୨.୬୦ କୋଟି ଟଙ୍କା ବକେୟା ଅର୍ଥ ପ୍ରଦାନ କରିବା କ୍ଷେତ୍ରରେ କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଜନୈକ ଅଭିଯୁକ୍ତ ସ୍ୱାମୀଙ୍କୁ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌କୋର୍ଟ ତିନି ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏ ସଂପର୍କରେ ଆଗତ ମାମଲାର ଶୁଣାଣି କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ୱାମୀଙ୍କୁ ପୂର୍ବରୁ ଏକ ଅଦାଲତ ଦୀର୍ଘ ସମୟ ଲାଗି ସୁଯୋଗ ଦେଇଥିଲେ। ହେଲେ, ସେ ତାଙ୍କ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ଦିଆଯାଇଥିବା ସୁଯୋଗକୁ ବ୍ୟବହାର କରିନାହାନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପରେ ତାଙ୍କ ଆଦେଶରେ କହିଛନ୍ତି ଯେ ଆମେ ଛାଡ଼ପତ୍ର ଦେଇଥିବା ସ୍ୱାମୀଙ୍କୁ ଏକ ପର୍ଯ୍ୟାପ୍ତ ସୁଯୋଗ ଦେଇସାରିଛୁ। ହେଲେ, ତାଙ୍କୁ (ସ୍ୱାମୀ) ଦିଆଯାଇଥିବା ସୁଯୋଗକୁ ସେ ବ୍ୟବହାର କରିନାହାନ୍ତି। ତେଣୁ, ଅଦାଲତଙ୍କ ଆଦେଶକୁ ଅବମାନନା କରିଥିବାରୁ ଆମେ ତାଙ୍କୁ ଦୋଷୀ ରୂପେ ବିବେଚନା କରିବା ସହ ତିନିମାସ କାରାଦଣ୍ଡରେ ଦଣ୍ଡିତ କରୁଛୁ। ଟେଲିକମ୍‌ କ୍ଷେତ୍ରରେ ଜାତୀୟ ସୁରକ୍ଷା ପ୍ରକଳ୍ପରେ ଉଚ୍ଚପଦବୀରେ କାର୍ଯ୍ୟ କରୁଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ଅଦାଲତ ପୂର୍ବରୁ ଏକାଧିକ ଆଦେଶରେ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ଭରଣପୋଷଣ ସହ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ବ୍ୟକ୍ତି ଜଣକ ଅଦାଲତଙ୍କ ଆଦେଶର ଅବମାନନା କରିଚାଲିଥିଲେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଉକ୍ତ ବ୍ୟକ୍ତି କୋର୍ଟର ନିର୍ଦ୍ଦେଶ ପାଳନ କରିବାରେ ବାରମ୍ବାର ବିଫଳ ହୋଇ ବିଶ୍ୱସନୀୟତା ହରାଇଛନ୍ତି ଏବଂ ଏହି ପ୍ରକାରର ମାମଲା ଥିବା ବ୍ୟକ୍ତି କିପରି ଜାତୀୟ ସୁରକ୍ଷା ପ୍ରକଳ୍ପ ସହ ଜଡିତ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌କୋର୍ଟ।

ସମ୍ବନ୍ଧିତ ଖବର