ହଜଖାସ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରଥଯାତ୍ରା ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦକ୍ଷିଣ ଦିଲ୍ଲୀ ହଜଖାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି। ଏଥି ପାଇଁ ଆଜି ସକାଳ ୬ଟା ୪୦ରେ ରାଷ୍ଟ୍ରପତି ମନ୍ଦିରରେ ପହଞ୍ଚିଥିଲେ। ତାଙ୍କ ସହିତ ଝିଅ ଇତିଶ୍ରୀ ସାମିଲ ହୋଇଥିଲେ।

ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ମନ୍ଦିର ସାଧାରଣ ସଂପାଦକ ରବୀନ୍ଦ୍ରନାଥ ପ୍ରଧାନ ଓ ପରିଚାଳନା କମିଟିର ସଦସ୍ୟମାନେ ସ୍ବାଗତ କରିଥିଲେ। ଏହି ଅବସରରେ ମନ୍ଦିରର ମୁଖ୍ୟ ପୂଜକ ସନାତନ ପଣ୍ଡିତଙ୍କ ସମେତ ୪ ଜଣ ବ୍ରାହ୍ମଣ ବୈଦିକ ମନ୍ତ୍ରୋଚାରଣ ପରେ ରାଷ୍ଟ୍ରପତି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।

ରାଷ୍ଟ୍ରପତି ପୂଜା କରିସାରିବା ପରେ ମହାପ୍ରଭୁଙ୍କୁ ପ୍ରଣିପାତ ହୋଇ ଆଶୀର୍ବାଦ ଭିକ୍ଷା କରିଥିଲେ। ପ୍ରାୟ ୪୦ ମିନିଟ ରାଷ୍ଟ୍ରପତି ମନ୍ଦିରରେ ବିତାଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କୁ ମନ୍ଦିର ପକ୍ଷରୁ ଏକ ଶାଢ଼ି ପ୍ରଦାନ କରାଯାଇଥିଲା। ପୂଜାପାଠ ଓ ଦର୍ଶନ ପରେ ରାଷ୍ଟ୍ରପତି ମନ୍ଦିରର ସମସ୍ତ ସଦସ୍ୟଙ୍କୁ ସାକ୍ଷାତ କରିଥିଲେ। ଏହି ଅବସର‌ରେ ଉପସ୍ଥିତ ଶ୍ରଦ୍ଧାଳୁ ରଥଯାତ୍ରା ପାଇଁ ରାଷ୍ଟ୍ରପତିଙ୍କ ବାର୍ତ୍ତା କ’ଣ ବୋଲି ପ୍ରଶ୍ନ କରିବାରୁ ସେ ‘ଜୟ ଜଗନ୍ନାଥ’ ବୋଲି କହିଥିଲେ।

ରାଷ୍ଟ୍ରପତିଙ୍କ ଆଗମନ ଦୃଷ୍ଟିରୁ ମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ସୁରକ୍ଷା କାରଣରୁ ରାଷ୍ଟ୍ରପତିଙ୍କ ମନ୍ଦିର ଦର୍ଶନ ବେଳେ ସୀମିତ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା। ଅନ୍ୟ ପକ୍ଷ‌ରେ ପରିଦର୍ଶନ ସମୟରେ ମନ୍ଦିର ପରିଚାଳନା ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ରାଷ୍ଟ୍ରପତି ପ୍ରଶଂସା କରିଥିବା ମନ୍ଦିର ସଂପାଦକ ଶ୍ରୀ ପ୍ରଧାନ କହିଛନ୍ତି। ସୁନ୍ଦର ବ୍ୟବସ୍ଥା ତାଙ୍କୁ ବହୁତ ଭଲଲାଗିଲା ବୋଲି ରାଷ୍ଟ୍ରପତି ଶ୍ରୀ ପ୍ରଧାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର