ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି, ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କ ଜ୍ଞାନ, ଗରିମା ଓ ଆମ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ଏକ କିରଣ। ଦେଶର ପ୍ରଗତିକୁ ଆଗକୁ ବଢ଼ାଇବାକୁ ତାଙ୍କ ପ୍ରୟାସକୁ ପ୍ରଶଂସା କରୁଛି। ମୁଁ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଏଥିରେ ଉଲ୍ଲେଖ କରିଛନ୍ତି।

ସୁରିନାମର ରାଷ୍ଟ୍ରପତି ଚାନ୍‌ ସାନ୍ତୋଖି ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ସୁରିନାମ ସରକାର ତାଙ୍କୁ ଶୁଭକାମନା ଜଣାଉଛି। ରାଷ୍ଟ୍ରପତିଙ୍କ ସୁଖ, ସମୃଦ୍ଧି ଓ ସୁସ୍ଥ ଜୀବନ କାମନା କରୁଛି ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

ସେହିଭଳି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍‌ ଓ ତାଙ୍କ ସହଧର୍ମିଣୀ ସୁଦେଶ ଧନକର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଜନ୍ମ ଦିନର ଅଭିନନ୍ଦନ ଜଣାଇଥିଲେ। ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। ସେହିଭଳି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର