ଶ୍ରୀଲଙ୍କା ସଂକଟ ଆଣିଛି ନୂଆ ସୁଯୋଗ: ଉପକୃତ ହେଉଛନ୍ତି ଚା, କପଡ଼ା ବ୍ୟବସାୟୀ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଦେଶରେ ଲୋକମାନେ ଖାଦ୍ୟ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଆଦି ସାମଗ୍ରୀର ଗୁରୁତର ଅଭାବ ଅନୁଭବ କରୁଛନ୍ତି। ଦେଶର ଅର୍ଥନୈତିକ ସଂକଟ ରାଜନୈତିକ ଏବଂ ସାମାଜିକ ସଂକଟରେ ପରିଣତ ହୋଇସାରିଲାଣି। ତେବେ ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଂକଟ ଭାରତର କିଛି ରାଜ୍ୟ ପାଇଁ ନୂଆ ବ୍ୟବସାୟର ସୁଯୋଗ ସୃଷ୍ଟି କରିଛି। ଶ୍ରୀଲଙ୍କାର ମୋଟ ରପ୍ତାନିରେ କପଡ଼ା ଏବଂ ଚା’ର ଗୁରୁତ୍ବପୂର୍ଣ୍ଣ ଅଂଶ ରହିଥାଏ। କିନ୍ତୁ ସେଠାରୁ ଏସବୁ ସାମଗ୍ରୀ ରପ୍ତାନି ବିଶ୍ବ ବଜାରକୁ ହୋଇପାରୁ ନାହିଁ। ଏହାର ଫାଇଦା ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତ ଏବଂ ଆସାମର ଚା’ ବ୍ୟବସାୟୀମାନଙ୍କ ପାଇଁ ରପ୍ତାନିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ପୂର୍ବରୁ ଯେଉଁସବୁ କପଡ଼ା ଏବଂ ଚା’ ରପ୍ତାନି ଶ୍ରୀଲଙ୍କା କରୁଥିଲା ତାହା ଏବେ ଭାରତ ପାଇଁ ଆସିଛି। ତିରୁପୁର ରପ୍ତାନିକାରୀ ସଂଘର ସଭାପତି ରାଜା ଏମ୍‌ ଷଣ୍‌ମୁଗମ୍‌ଙ୍କ କହିବାନୁଯାୟୀ, ଶ୍ରୀଲଙ୍କାରେ ଦେଖାଦେଇଥିବା ସଂକଟ କାରଣରୁ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକ ତାମିଲନାଡ଼ୁର ତିରୁପୁରର କପଡ଼ା ବ୍ୟବସାୟୀମାନଙ୍କୁ ପ୍ରଦାନ କରୁଛନ୍ତି। ଜାରା, ମ୍ୟାଙ୍ଗୋ ଏବଂ ଏଚ୍‌ ଆଣ୍ଡ୍‌ ଏମ୍‌ ଭଳି ବ୍ରାଣ୍ଡ୍ ଶ୍ରୀଲଙ୍କା ପରିବର୍ତ୍ତେ ଭାରତ ଓ ଅନ୍ୟାନ୍ୟ ଦେଶକୁ ଅଧିକ ମାତ୍ରାରେ କାର୍ଯ୍ୟାଦେଶ ଦେଉଛନ୍ତି ବୋଲି ସେ କହିଛନ୍ତି। ସ୍ବାଭାବିକ ସମୟରେ ଶ୍ରୀଲଙ୍କା ବର୍ଷକୁ ପାଖାପାଖି ୫୪୨ କୋଟି ଡଲାରର କପଡ଼ା ରପ୍ତାନି କରିଥାଏ। ସେଥିରୁ କିଛି ବ୍ୟବସାୟ ବର୍ତ୍ତମାନ ଭାରତକୁ ଆସିଯାଇଛି।

ସେହିଭଳି ଶ୍ରୀଲଙ୍କା ଯେଉଁସବୁ ଦେଶକୁ ଚା’ ରପ୍ତାନି କରୁଥିଲା ସେସବୁ ଦେଶ ଏବେ ଭାରତମୁହାଁ ହୋଇଛନ୍ତି। ଦକ୍ଷିଣ ଭାରତ ଚା’ ରପ୍ତାନିକାରୀ ସଂଘର ଅଧ୍ୟକ୍ଷ ଦୀପକ ଶାହଙ୍କ କହିବାନୁଯାୟୀ, ଶ୍ରୀଲଙ୍କାର ପ୍ରାୟ ଅଧିକାଂଶ ଚା’ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକ ଦୈନିକ ୧୨ରୁ ୧୩ ଘଣ୍ଟାର ବିଜୁଳି କାଟ୍‌ର ସାମ୍ନା କରୁଛନ୍ତି। ୟୁନିଟଗୁଡ଼ିକୁ ଜେନେରେଟରରେ ଚଳାଇ ରଖିବା ପାଇଁ ‌ଆବଶ୍ୟକ ମାତ୍ରାରେ ଡିଜେଲ ମଧ୍ୟ ଦେଶରେ ମିଳୁନାହିଁ। ଫଳରେ ଚା’ ଉତ୍ପାଦନ ପ୍ରଭାବିତ ହେବା ସହିତ କିଛି ଚା’ ପତିର ମାନ ମଧ୍ୟ ହ୍ରାସ ପାଉଛି। ଶ୍ରୀଲଙ୍କା ଚା’ ମୁଖ୍ୟତଃ ଇରାକ, ଇରାନ, ସଂଯୁକ୍ତ ଆରବ ଏମିରେଟ୍ସ, ଲିବିୟା, ରୁଷ ଏବଂ ତୁର୍କୀ ଆଦି ଦେଶକୁ ହୋଇଥାଏ। ତେଣୁ ଏସବୁ ଦେଶ ଭାରତର ଚା’ ରପ୍ତାନିକାରୀଙ୍କ ସହିତ ବ୍ୟବସାୟ ପାଇଁ ଆଲୋଚନା ଚଳାଇଛନ୍ତି। ‌ତେଣୁ ଉଭୟ ପୋଷାକ ଓ ଚା’ କ୍ଷେତ୍ରରେ ଭାରତକୁ ସୁବିଧା ମିଳିଛି।

ସମ୍ବନ୍ଧିତ ଖବର