ଯନ୍ତ୍ରୀଙ୍କ ଘରୁ ମିଳିଲା ୨କୋଟି: ୫୮୦ ଗ୍ରାମର ୨୦ ସୁନା ବିସ୍କୁଟ ବି ମିଳିଲା

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ, ଆୟର ସୂତ୍ର: ଲାଞ୍ଚ, ପିସି!

ଭୁବନେଶ୍ବର: ଟଙ୍କା ନା ଗୋଡ଼ିମାଟି? ଭିଜିଲାନ୍ସ ଚଢ଼ଉ ବେଳେ ଘରୁ ମିଳୁଛି ନଗଦ କୋଟି କୋଟି ଟଙ୍କା। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଠାରୁ ମିଳିଲା ନଗଦ ୨ କୋଟି ଟଙ୍କାରୁ ଅଧିକ। ତା’ ପୁଣି ଭୁବନେଶ୍ବର କଳିଙ୍ଗବିହାରସ୍ଥିତ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନ ରହୁଥିବା ଟାଟା ଆରିଆନା ଫ୍ଲାଟ ରୁମ୍ ନଂ-୦୫୦୫ରୁ। ଏକ ଏୟାର ବ୍ୟାଗ୍‌ରେ ଏହି ଟଙ୍କା ପୂରାଇ ରଖାଯାଇଥିବା ବେଳେ ଭିଜିଲାନ୍ସ ଜବତ କରିଛି। ଏହି ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଆଜି ସନ୍ଧ୍ୟାରେ ଚଢ଼ଉ କରିଥିଲା। ଖାଲି ଟଙ୍କା ନୁହେଁ, ୨୦ଟି ସୁନା ବିସ୍କୁଟ୍‌ର ମଧ୍ୟ ସନ୍ଧାନ ପାଇଛି ଭିଜିଲାନ୍ସ। ଯାହାର ଓଜନ ୫୮୦ ଗ୍ରାମ ହେବ ବୋଲି ଜଣାପଡ଼ିଛି। ଟଙ୍କା ଗଣା ଚାଲୁଥିବାରୁ ପରିମାଣ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ମେସିନ୍ ସାହାଯ୍ୟରେ ଟଙ୍କା ଗଣା ଚାଲିଥିବା ବେଳେ ୫ରୁ ଅଧିକ ଅଫିସର୍‌ ନିୟୋଜିତ ରହିଛନ୍ତି।

୫୮୦ ଗ୍ରାମର ୨୦ ସୁନା ବିସ୍କୁଟ ବି ମିଳିଲା
ଭଞ୍ଜନଗର କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ବର ଟାଟା ଆରିଆନା ଫ୍ଲାଟରେ ଦ୍ବିତୀୟ ପତ୍ନୀଙ୍କ ଘରୁ ହେଲା ଜବତ
ଆୟର ସୂତ୍ର: ଲାଞ୍ଚ, ପିସି!

ସେହିପରି ନଗଦ ୨କୋଟି ଟଙ୍କା ଓ ସୁନା ବିସ୍କୁଟ ମିଳିବା ପରେ ଆହୁରି ଅଧିକ ପୋତା ଧନ ଥିବା ସନ୍ଦେହରେ କଳ୍ପନାଙ୍କୁ ଏକ ଟିମ୍ ଜେରା ଚଳାଇଛି। ଆହୁରି ମଧ୍ୟ ବେନାମୀ ସମ୍ପତ୍ତି ରହିଥିବା ଅନୁମାନ କରୁଛି ଭିଜିଲାନ୍ସ। କେଉଁ ସୂତ୍ରରୁ ଏତେ ଟଙ୍କା ଆଣିଲେ? କେତେ ଦିନ ଧରି ଏହି ଟଙ୍କା ସଞ୍ଚି ଚାଲିଥିଲେ? ଲାଞ୍ଚ ଓ କମିସନ୍ ଟଙ୍କା ବୋଲି ସନ୍ଦେହ କରାଯାଉଥିବା ବେଳେ କେଉଁ କାମରୁ କେତେ ପାଇଛନ୍ତି? ଭିଜିଲାନ୍ସ ତାହାର ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଗତକାଲି ତାଙ୍କର ୨କୋଟି ୭୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହି ସମ୍ପତ୍ତି ଭିତରେ ଖଣ୍ଡଗିରି ଜାଗମରାରେ ଦୁଇ ମହଲା କୋଠା, ଡୁମୁଡୁମା ତୁଷ୍ଟି ରେସିଡେନ୍ସିରେ ୩ ବିଏଚ୍‌କେ ଫ୍ଲାଟ୍, କସମୋପଲିସ୍‌ରେ ୨ ବିଏଚ୍‌କେ ଫ୍ଲାଟ୍, ୭ଟି ଜମି, ୩୭.୨୩ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ବୀମା ପଲିସି, ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା। ଏହି ଚଢ଼ଉରେ ୫ ଡିଏସ୍‌ପି, ୧୧ଇନ୍ସପେକ୍ଟର୍‌ ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ୩୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରୁ ନଗଦ ୧ କୋଟି ୩୯ଲକ୍ଷ ଟଙ୍କା ମିଳିଥିଲା। ସେହିପରି ମୃତ ଶାଶୁଙ୍କ ନାଁରେ ୬୪ ଲକ୍ଷ ଟଙ୍କାର ଜମା ରଖିଥିଲେ। ଏମିତି ବେନାମୀ ସମ୍ପତ୍ତି ଠୁଳ କରିଥିଲେ। ସେହିପରି ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନା ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କ ଭୁବନେଶ୍ବର ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ମିଳିଥିଲା।

 

ସମ୍ବନ୍ଧିତ ଖବର