ନିର୍ବାଚନ କମିସନର ନିଯୁକ୍ତି ଉପରେ ରୋକ୍‌ ଲାଗିବ ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଗତକାଲି ୨ ଜଣ ନିର୍ବାଚନ କମିସନରଙ୍କ ନାମ ଚୟନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଏହି ନିର୍ବାଚନ କମିସନର ନିଯୁକ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହି ନିଯୁକ୍ତି ନେଇ କୌଣସି ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ କମିସନରଙ୍କ ନିଯୁକ୍ତି ମାମଲାରେ କୌଣସି ରୋକ୍‌ ଲାଗିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ କମିସନର ନିଯୁକ୍ତି ବିରୋଧରେ ଦାୟର ଆବେଦନର ଶୁଣାଣି ୩ ଜଣିଆ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀ ଅଦାଲତଙ୍କୁ ଏହି ନିଯୁକ୍ତି ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଦାବି କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ, ବିକାଶ ସିଂହ ଏବଂ ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ କହିଥିଲେ ଯେ ନୂଆ ଆଇନ ଅନୁଯାୟୀ ଦୁଇ ଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପୂର୍ବରୁ ଏ ବାବଦ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରାଯାଇଛି। ପୂର୍ବରୁ ଏ ସଂକ୍ରାନ୍ତ ଏକ ମାମଲାରେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ଏହି ପଦବୀଗୁଡ଼ିକରେ ନିଯୁକ୍ତି ଦିଆଯିବା ଆବଶ୍ୟକ। ଗତକାଲି ଯେଉଁ ଦୁଇ ଜଣ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି, ସେ କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରାଯାଇଛି ବୋଲି ସେମାନେ ଉଲ୍ଲେଖ କରିଥିଲେ। ଆବେଦନର ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ପୂର୍ବରୁ ଏହି ମାମଲା ଦୁଇଥର ଆସିଥିଲା। ଏବେ ଅନ୍ତରୀଣ ଆଦେଶ ମାଧ୍ୟମରେ ଆମେ ଆଇନ ଉପରେ ରୋକ୍ ଲଗାଇବୁ ନାହିଁ। ଏଭଳି ଆଇନ କାର୍ଯ୍ୟକାରୀ ହେବା କ୍ଷେତ୍ରରେ ରହିତାଦେଶ ଲାଗିପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗଠିତ କମିଟି ଦୁଇଜଣ ସେବାନିବୃତ୍ତ ଅଧିକାରୀ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର