କ୍ରୀଡ଼ା ସଂଘ ଅନୁଦାନ ରାଶି ଦୁଇଗୁଣା, କ୍ରୀଡ଼ା ସଂଘ ଅନୁଦାନ ରାଶି ଦୁଇଗୁଣା

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ବିକାଶ ପାଇଁ ସଙ୍କଳ୍ପବଦ୍ଧ ଓଡ଼ିଶା ସରକାର ନିର୍ବାଚନ ପୂର୍ବରୁ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ କ୍ରୀଡ଼ା ସଂଘ (ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ)କୁ ଦିଆଯାଉଥିବା ଅନୁଦାନ ରାଶିକୁ ଦୁଇଗୁଣା କରି ଦେଇଛନ୍ତି। ‘ଏ’ ଶ୍ରେଣୀଭୁକ୍ତ ରାଜ୍ୟ ସଂଘ ପାଇଁ ବାର୍ଷିକ ୧୨ ଲକ୍ଷ ମିଳିବ, କିନ୍ତୁ ଏହା ଅନ୍ତର୍ଭୁକ୍ତ ଚେସ୍‌ ସଂଘକୁ ୬ ଲକ୍ଷ ମିଳିବ। ‘ବି’ ଶ୍ରେଣୀଭୁକ୍ତ ରାଜ୍ୟ ସଂଘକୁ ୮ ଲକ୍ଷ, ‘ସି’ ପାଇଁ ୫ ଲକ୍ଷ, ‘ଡି’ ପାଇଁ ୩ ଲକ୍ଷ ଟଙ୍କାର ବାର୍ଷିକ ଅନୁଦାନ ମିଳିବ। ଏହା ବ୍ୟତୀତ କ୍ରୀଡ଼ା ସଂଘ ଗୁଡ଼ିକ ଲାଗି ଥିବା ସ୍ୱତନ୍ତ୍ର ଅନୁଦାନ ରାଶିର ଧାର୍ଯ୍ୟ ସୀମାକୁ ଉଛେଦ କରାଯାଇଛି। ଆବଶ୍ୟକତାକୁ ଉପଲବ୍ଧି କରି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ରାଶି ସ୍ଥିର କରିବେ। କୌଣସି ଶ୍ରେଣୀଭୁକ୍ତ ହୋଇ ନଥିବା ଅଣସ୍ବୀକୃତ କ୍ରୀଡ଼ା ସଂଘଗୁଡ଼ିକୁ ‘ଡି’ ଶ୍ରେଣୀଭୁକ୍ତ କରାଯାଇ ଅନୁଦାନ ଦିଆଯିବ। କିନ୍ତୁ ସେମାନଙ୍କ ପାଖରେ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ସ୍ବୀକୃତି ଥିବା ଅପରିହାର୍ଯ୍ୟ।

‌ରାଜ୍ୟ ସଂଘ ଭଳି ଜିଲ୍ଲା ସଂଘଗୁଡ଼ିକୁ ମଧ୍ୟ ଅନୁଦାନ ଦେବାକୁ ସରକାର ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ୨୦ରୁ ଅଧିକ ବ୍ଲକ୍ ଥିବା ଜିଲ୍ଲା କ୍ରୀଡ଼ା ସଂଘ ପାଇଁ ବାର୍ଷିକ ୪ ଲକ୍ଷ, ୧୫ରୁ ୨୦ ବ୍ଲକ ମଧ୍ୟରେ ଥିବା ଜିଲ୍ଲା ପାଇଁ ୩ ଲକ୍ଷ, ୧୦ରୁ ୧୪ ବ୍ଲକ୍ ବିଶିଷ୍ଟ ଜିଲ୍ଲା ପାଇଁ ୨ ଲକ୍ଷ, ୧୦ରୁ କମ୍ ବ୍ଲକ୍‌ ଥିବା ଜିଲ୍ଲା ସଂଘ ପାଇଁ ୧.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଛଡ଼ା ପ୍ରଶିକ୍ଷଣ, ପ୍ରତିଯୋଗିତା, ଖେଳ ସଂରଜାମ କ୍ରୟ ପାଇଁ ସରକାର ସ୍ବତନ୍ତ୍ର ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ଅନୁଦାନ ରାଶି କେବଳ ୨୦୨୩-୨୪ ଆର୍ଥିକ ବର୍ଷରୁ ଲାଗୁ ହେବ। ସମସ୍ତ ଅନୁଦାନ ପାଇଁ ଜାତୀୟ କ୍ରୀଡ଼ା ନୀତିର ଆଚରଣ ସଂହିତାକୁ କଡ଼ାକଡ଼ି ଭା‌ବେ ପାଳନ କରୁଥିବା ସଂଘକୁ ପ୍ରଦାନ କରାଯିବ। ମାର୍ଚ୍ଚ ୧୪ ତାରିଖ ଚିଠି ସଂଖ୍ୟା ୧୧୮୪୯ ଅନୁସାରେ ପ୍ରକାଶିତ ବିଜ୍ଞପ୍ତି ପରେ ରାଜ୍ୟର ବିଭିନ୍ନ କ୍ରୀଡ଼ା ସଂଘ ଓ କ୍ରୀଡ଼ା କ୍ଲବ୍ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତିକୁ ବିଭିନ୍ନ ସଂଘ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଛି। ଓଡ଼ିଶା ‌ଦୌଡ଼କୁଦ ଓ ଫୁଟ୍‌ବଲ୍‌ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ୍‌, ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ଏଥି ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନ୍‌, କ୍ରୀଡ଼ା ସଚିବ ଆର୍ ଭିନୀଲ କ୍ରିଷ୍ଣାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର