କୋଭିଡ୍‌-୧୯ ସଂକ୍ରମଣର ସବୁଠୁ ବିଶ୍ବାସଯୋଗ୍ୟ ଲକ୍ଷଣ ହେଉଛି ଘ୍ରାଣ ଶକ୍ତି, ସ୍ବାଦ ବାରିବା ଶକ୍ତି ହ୍ରାସ: ଇଂଲଣ୍ଡ୍‌ ଅଧ୍ୟୟନ

ଲଣ୍ଡନ୍‌: ଅଧିକ ମାତ୍ରାରେ ଘ୍ରାଣ ଶକ୍ତି ଓ ସ୍ବାଦ ବାରିବା ଶକ୍ତି ହରାଇବା କରୋନାଭାଇରସ୍‌ ସଂକ୍ରମଣର ସବୁଠୁ ବିଶ୍ବାସଯୋଗ୍ୟ ସୂଚନା ବୋଲି ଇଂଲଣ୍ଡର ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ଜଣାପଡ଼ିଛି।

କିଛି ଲୋକଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନ ଏ ସପ୍ତାହର ‘ପ୍ଲୋସ୍ ମେଡିସିନ୍‌’ରେ ପ୍ରକାଶିତ ହୋଇଛି। ଏଥିଲାଗି ଲଣ୍ଡନ୍‌ ପ୍ରାଇମେରି କେୟାର୍‌ ସେଣ୍ଟର୍‌ରୁ ତଥ୍ୟ ସଂଗୃହୀତ ହୋଇଥିଲା। ଏମାନଙ୍କ ମଧ୍ୟରୁ ହଠାତ୍ ଘ୍ରାଣ ଓ ସ୍ବାଦ ବାରିବା ଶକ୍ତି ହରାଇଥିବା ୭୮% ବ୍ୟକ୍ତି ବିଶେଷଙ୍କ ଦେହରେ କୋଭିଡ୍-୧୯ ଆଣ୍ଟିବଡି ରହିଥିବା ଜଣାପଡ଼ିଥିଲା।

ଏହି ଅଧ୍ୟୟନର ମୁଖ୍ୟ ଲେଖକ ତଥା ୟୁନିଭର୍ସିଟି କଲେଜ୍‌ ଲଣ୍ଡନ୍‌ ମେଡିସିନ୍ ଏବଂ ୟୁସିଏଲ୍‌ ହସ୍ପିଟାଲ୍ସ୍‌ର ପ୍ରଫେସର୍ ରାଚେଲ୍ ବ୍ୟାଟର୍‌ହାମ୍ କହନ୍ତି, ଆମେ ସଂକ୍ରମଣର ଦ୍ବିତୀୟ ପ୍ରବାହ ଆଡ଼କୁ ଗତିକରୁଥିବାରୁ ଏହି ରୋଗ ବିସ୍ତାର ନିୟନ୍ତ୍ରଣ କରିବା ପାଇଁ କୋଭିଡ୍-୧୯କୁ ଜନସାଧାରଣ ଆଗୁଆ ଚିହ୍ନଟ କରିବା ଆବଶ୍ୟକ। ଏଥିସହ ଏକାନ୍ତବାସ ଓ ପରୀକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ।

Image Courtesy of The Tribune India

ସେ ଆହୁରି ମଧ୍ୟ କହିଛନ୍ତି, ଆମ ଗବେଷଣା ଦର୍ଶାଉଛି ଯେ, ଘ୍ରାଣ ଓ ସ୍ବାଦ ବାରିବା ଶକ୍ତି ହ୍ରାସ ଜଣେ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥାଇ ପାରେ ବୋଲି ବିଶ୍ବାସଯୋଗ୍ୟ ସୂଚନା ପ୍ରଦାନ କରେ। ଯଦି ଆମେ ଏହି ମହାମାରୀ ବିସ୍ତାରକୁ ରୋକିବାକୁ ଯାଉଛନ୍ତି, ତେବେ ବିଶ୍ବର ସରକାରମାନେ ଉପରୋକ୍ତ ଲକ୍ଷଣକୁ ଏକାନ୍ତବାସ, ପରୀକ୍ଷା ଓ କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌ ଲାଗି ମାନଦଣ୍ଡ ବୋଲି ବିଚାର କରିବାକୁ ପଡ଼ିବ।

ସେ ପୁଣି କହିଛନ୍ତି, ହଠାତ୍ ଘ୍ରାଣ କିଂବା ସ୍ବାଦ ବାରିବା ଶକ୍ତି ହରାଉଥିବା ଇଂଲଣ୍ଡ୍‌ର ଲୋକମା‌ନଙ୍କୁ ଏକାନ୍ତବାସ, ନମୁନା ପରୀକ୍ଷା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ବିଶ୍ବର ଅତି ଅଳ୍ପ କେତେକ ଦେଶ ଏହାକୁ କରୋନାଭାଇରସ୍‌ର ଲକ୍ଷଣ ବୋଲି ବିଚାର କରୁଛନ୍ତି। ଅଧିକାଂଶ ଦେଶ ଜ୍ବର ଓ ଶ୍ବାସକ୍ରିୟା ଲକ୍ଷଣ ଉପରେ ଧ୍ୟାନ ଦେଉଛନ୍ତି।

ସମ୍ବନ୍ଧିତ ଖବର