ମୁଁ ମୋ ପୁଅକୁ ବଞ୍ଚେଇ ପାରିଲିନି, ଝିଅକୁ ମଦୁଆଙ୍କ ସହ ବାହା ନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୌଶଲ କୁମାର ନିଜ ପରିବାରର ଦୁଃଖଦ ଘଟଣାର ଉଦାହରଣ ଦେଇ ଅନୁରୋଧ କରିଛନ୍ତି ‘କେହି ନଜର ଝିଅ ବା ଭଉଣୀକୁ ମଦୁଆଙ୍କ ସହ ବାହା ନ ଦିଅନ୍ତୁ। ‘ଜଣେ ମଦୁଆ ଅଫିସର ଅପେକ୍ଷା ଜଣେ ରିକ୍ସାଚାଳକ ବା ଶ୍ରମିକ ଢେର ଭଲ’ ବୋଲି କହିଛନ୍ତି ମନ୍ତ୍ରୀ କିଶୋର।

ଲମ୍ଭୁଆ ବିଧାନସଭା ନିର୍ବାଚନମଣ୍ଡଳୀରେ ନିଶା-ନିବାରଣ ଉପରେ ଭାଷଣ ଦେଲାବେଳେ ମନ୍ତ୍ରୀ କହିଥିଲେ ଯେ, ଗୋଟିଏ ମଦୁଆର ଜୀବନ ଅତ୍ୟନ୍ତ ସଂକ୍ଷିପ୍ତ। ମୁଁ ଜଣେ ଏମ୍‌ପି ଓ ମୋ ସ୍ତ୍ରୀ ଜଣେ ବିଧାୟିକା ହୋଇ ମଧ୍ୟ ଯେତେବେଳେ ଆମ ପୁଅକୁ ବଞ୍ଚାଇ ପାରିଲୁନି, ସେତେବେଳେ ଜଣେ ସାଧାରଣ ଲୋକ କଥା କ’ଣ କହିବା!

ମନ୍ତ୍ରୀ କହିଲେ ଯେ, ତାଙ୍କ ପୁଅ ଆକାଶ କିଶୋର ସାଙ୍ଗମେଳରେ ମଦ ପିଇବା ଆରମ୍ଭ କଲା। ତାକୁ ଏକ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାହୋଇଥିଲା। ଆମେ ଭାବିଥିଲୁ ସେ ମଦ ପିଇବା ଛାଡ଼ିଦେଇଥିବ। ତା’ର ଛଅମାସ ପରେ ତା’ର ବାହାଘର କରାହେଲା। କିନ୍ତୁ ବାହାଘର ପରେ ସେ ପୁଣି ମଦ ପିଇବା ଆରମ୍ଭ କଲା। ସେଇ ମଦ ହିଁ ତା’ ମୃତ୍ୟୁର କାରଣ ହେଲା। ଦୁଇବର୍ଷ ତଳେ ଅକ୍ଟୋବର ୧୯ ତାରିଖରେ ଯେତେବେଳେ ଆକାଶ ମରିଗଲା, ସେତେବେଳେ ତା’ ପୁଅକୁ ମାତ୍ର ୨ ବର୍ଷ ହୋଇଥିଲା। ଆମ ବୋହୂ ଅଳ୍ପ ବୟସରେ ବିଧବା ହୋଇଗଲା। ତେଣୁ ମୁଁ ଅନୁରୋଧ କରୁଛି, ଆପଣମାନେ କେହି ନିଜର ଝିଅ ବା ଭଉଣୀକୁ ମଦୁଆ ସହ ବାହା ଦେବେ ନାହିଁ ବୋଲି କିଶୋର କହିଥିଲେ।

କିଶୋର କହିଲେ, ଯେ ବ୍ରିଟିସ ସରକାରକୁ ତଡ଼ିବା ପାଇଁ ସ୍ବାଧୀନତା ସଂଗ୍ରାମରେ ୯୦ ବର୍ଷ ଭିତରେ ୬.୩୨ ଳକ୍ଷ ଲୋକ ସହିଦ ‌ହୋଇଥିଲେ। କିନ୍ତୁ ଭାରତରେ ପ୍ରତିବର୍ଷ ନିଶା ସେବନ କରି ୨୦ ଲକ୍ଷ ଲୋକ ମରୁଛନ୍ତି। ତମାଖୁ, ସିଗାରେଟ୍‌ ଓ ବିଡ଼ି ଟାଣି ୮୦ ପ୍ରତିଶତ କ୍ୟାନସର ମୃତ୍ୟୁ ହେଉଛି। ନିଶା ନିବାରଣ କାର୍ଯ୍ୟକ୍ରମରେ ଭାଗ ନେଇ ବିଭିନ୍ନ ସଂଗଠନ ଓ ଜନସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର