ଝିଅ ଜୀବନ ହାରିବାରୁ ଶଶୁରଘରେ ନିଆଁ ଲଗାଇଲେ ବାପଘର ଲୋକ; ୨ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ତାଙ୍କ ପରିବାର ତାଙ୍କ ଶଶୁରଘରକୁ ଆସି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ନିଆଁରେ ମହିଳାଙ୍କ ଶାଶୂଶଶୁରଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ଅଂଶିକା କେଶରୱାନି। ନିଆଁରେ ମହିଳାଙ୍କ ସ୍ୱାମୀଙ୍କ ସମେତ ଆଉ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି।

ମହିଳାଙ୍କୁ ସୋମବାର ରାତିରେ ତାଙ୍କ ଶଶୁରଙ୍କ ଘରେ ଦେଖିବାକୁ ମିଳିଥିଲା। ୨୭ ବର୍ଷୀୟା ମହିଳା ଗତ ବର୍ଷ ଫେବ୍ରୁଆରି ମାସରେ ବିବାହ କରିଥିଲେ। ଅଂଶିକାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ତାଙ୍କ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଖୁବ୍ ରାଗି ଯାଇଥିଲେ। ଫଳରେ ସେମ‌ାନେ ରାଗରେ ଯାଇ ଝିଅର ଶଶୁରଘରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲିଭିବା ପରେ ଘରୁ ଉଭୟ ମହିଳାଙ୍କ ଶାଶୂ ଓ ଶଶୁରଙ୍କ ମୃତଦେହ ମିିଳିଥିଲା।

ପ୍ରୟାଗରାଜ୍‌ ପୁଲିସ୍‌ ଅଂଶିକାଙ୍କ ଶଶୁରଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗକୁ ନେଇ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛି। ପୁଲିସ୍‌ କମିସନରଙ୍କ କହିବାନୁସାରେ ମହିଳାଙ୍କ ଜୀବନ ହାରିବା ସଂପର୍କରେ ତାଙ୍କୁ ରାତି ୧୧ଟାରେ ଏକ କଲ୍‌ ମିଳିଥିଲା। ପୁଲିସ୍‌ ପହଞ୍ଚିଲା ବେଳକୁ ପାଟିତୁଣ୍ଡ ହେବା ସହ ଚାରିଆଡ଼େ ନିଆଁ ଲାଗି ସାରିଥିଲା।

ସମ୍ବନ୍ଧିତ ଖବର