କୋମାରେ ଅଛନ୍ତି ଭାବି ୧୮ ମାସ ମର ଶରୀର ରଖିଥିଲେ ଉତ୍ତରପ୍ରଦେଶ ପରିବାର

କାନପୁର : ଏକ ଅଭାବନୀୟ ଘଟଣାକ୍ରମରେ ଉତ୍ତରପ୍ରଦେଶ କାନପୁରର ରାୱତପୁର ଅଞ୍ଚଳରେ ଏକ ପରିବାରରେ ଜଣେ ବ୍ୟକ୍ତିଙ୍କ ମର ଶରୀରକୁ ୧୮ ମାସ ରଖାଯାଇଛି। ଏପ୍ରିଲ ୨୨, ୨୦୨୧ରେ ବିମଳେଶ ଦୀକ୍ଷିତ ନାମକ ଜଣେ ବ୍ୟକ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ସେ ଆୟକର ବିଭାଗରେ କାର୍ଯ୍ୟ କରୁଥିଲେ। ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଡାକ୍ତରଖାନା ପକ୍ଷରୁ ମୃତ୍ୟୁ ସାର୍ଟିଫିକେଟ୍‌ ମଧ୍ୟ ଜାରି ହୋଇଛି । କିନ୍ତୁ ବିମଳେଶଙ୍କ ପରିବାର ସଦସ୍ୟ ତାଙ୍କ ମୃତ୍ୟୁକୁ ଗ୍ରହଣ କରିନଥିଲେ। ସେ କୋମାରେ ଅଛନ୍ତି ଭାବି ସେମାନେ ତାଙ୍କୁ ଦୀର୍ଘ ୧୮ ମାସ ଘରେ ରଖିଥିଲେ। ବିମଳେଶଙ୍କ ପତ୍ନୀ ପ୍ରତିଦିନ ସକାଳେ ତାଙ୍କ ଶରୀରରେ ଗଙ୍ଗାଜଳ ଛିଞ୍ଚୁଥିଲେ। ଏହାଦ୍ବାରା ତାଙ୍କ ସ୍ବାମୀ କୋମାରୁ ବାହାରି ଆସିବେ ବୋଲି ତାଙ୍କର ବିଶ୍ବାସ ଥିଲା।

ବିମଳେଶଙ୍କ ପରିବାର ସଦସ୍ୟ ସେମାନଙ୍କୁ ପଡ଼ୋଶୀଙ୍କୁ ମଧ୍ୟ କହିଥିଲେ ଯେ ସେ କୋମାରେ ଅଛନ୍ତି। ସେମାନେ ଅନେକ ସମୟରେ ଘରକୁ ଅକ୍ସିଜେନ୍‌ ସିଲିଣ୍ଡର ଆଣିଥିବା ପଡ଼ୋଶୀମାନେ ଦେଖିଛନ୍ତି। ତେବେ କୌଣସି ଏକ ସୂତ୍ରରୁ ଏଭଳି ଏକ କାର୍ଯ୍ୟ ସଂକ୍ରାନ୍ତରେ ସୂଚନା ପାଇବାପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌, ପୁଲିସ ଏବଂ ଜିଲ୍ଲାପାଳ ଯାଇ ଦୀକ୍ଷିତଙ୍କ ଘରେ ପହଞ୍ଚିଥିଲେ। ଏହାପରେ ମଧ୍ୟ ପରିବାର ସଦସ୍ୟ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସେ ଜୀବିତ ଅଛନ୍ତି ଏବଂ କୋମାରେ ଅଛନ୍ତି। କିନ୍ତୁ ଅନେକ ବୁଝାସୁଝା ପରେ ସ୍ବାସ୍ଥ୍ୟ ଟିମ୍‌କୁ ସେମାନେ ଦୀକ୍ଷିତଙ୍କ ମର ଶରୀର ହସ୍ତାନ୍ତର କରିଥିଲେ। ମେଡିକାଲ ଟେଷ୍ଟ୍‌ ପରେ ଜଣାପଡ଼ିଲା ଯେ ତାଙ୍କର କେବେଠାରୁ ମୃତ୍ୟୁ ହୋଇସାରିଛି ଏବଂ ତାଙ୍କ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର