ଲୋକାୟୁକ୍ତଙ୍କ ନିଯୁକ୍ତି ପାଇଁ ପରାମର୍ଶ ପ୍ରକ୍ରିୟା  ଉପରେ ଗାଇଡଲାଇନ ପ୍ରସ୍ତୁତ କରିବୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିରୋଧୀ ଦଳ ନେତାଙ୍କ ପରାମର୍ଶ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶାବଳୀ ନର୍ଦ୍ଧାରଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ଶୁକ୍ରବାର କହିଛନ୍ତି।

ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ବିରୋଧୀ ଦଳ ନେତାଙ୍କ ସହ ପରାମର୍ଶ କରାଯାଇ ନଥିବା ଦର୍ଶାଇ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଦେଶବ୍ୟାପୀ ପ୍ରଭାବ ପକାଇଥିବା ଦର୍ଶାଇ କହିଛନ୍ତି ଯେ ଏଥିପାଇଁ କିଛି ପ୍ରକ୍ରିୟାଗତ ରୂପରେଖ ସ୍ଥିର କରିବାକୁ ପଡ଼ିବ। ଦେଶବ୍ୟାପୀ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ଅଦାଲତ ଏଭଳି ମାମଲାରେ ପ୍ରଭାବଶାଳୀ ବିଚାର ବିମର୍ଶ କରିବା ପାଇଁ ମାପଦଣ୍ଡ ନିର୍ଦ୍ଧାରଣ କରିବା ଉଚିତ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଏହାର ପ୍ରଭାବ ଦେଶବ୍ୟାପୀ ପଡ଼ିଛି, କାରଣ ଲୋକାୟୁକ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାର କ’ଣ ପ୍ରକ୍ରିୟା ଅନୁସରଣ କରିବେ? ଯେତେବେଳେ ନିଯୁକ୍ତି ପ୍ରକ୍ରିୟାରେ ବିରୋଧୀ ଦଳ ନେତା (ଏଲ୍‌ଓପି) ସଦସ୍ୟ ହେବା ଦରକାର, ସେତେବେଳେ କିଛି ପ୍ରକ୍ରିୟା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏହା ହୋଇପାରିବ ନାହିଁ ଯେ ପୂର୍ବଦିନ ତାଙ୍କୁ କେବଳ ପ୍ରାର୍ଥୀଙ୍କୁ ସମ୍ମତି ଦେବାକୁ କୁହାଯିବ। ଏହାର ଦେଶବ୍ୟାପୀ ପ୍ରଭାବ ରହିଛି। ଆମକୁ କିଛି ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ପଡ଼ିବ, ନଚେତ୍‌ କମିଟିରେ ଏଲ୍‌ଓପିଙ୍କ ଉପସ୍ଥିତିର କୌଣସି ଅର୍ଥ ରହିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଅବସରପ୍ରାପ୍ତ ଜଷ୍ଟିସ ସତ୍ୟେନ୍ଦ୍ର କୁମାର ସିଂହଙ୍କୁ ଲୋକାୟୁକ୍ତ ଭାବେ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସର ବିରୋଧୀ ଦଳ ନେତା ଉମଙ୍ଗ ସିଂହାରଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି।

ସମ୍ବନ୍ଧିତ ଖବର