ପୁରୀ କେନାଲରେ ଦୁର୍ଘଟଣା: ଦୁଇ ନିଖୋଜ ଯୁବକଙ୍କ ମଧ୍ୟରୁ ମିଳିଲା ଜଣଙ୍କର ମୃତଦେହ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଇ ନିଖୋଜ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଛି। ସେ ହେଲେ ରାଜସ୍ଥାନର ଚୁରୁ ଜିଲ୍ଲାର ମହାବୀର ସିଂହଙ୍କ ପୁତ୍ର ସନ୍ଦୀପ କୁମାର। ଆଜି ସକାଳେ ବାଲିଅନ୍ତା ଅଗ୍ନଶମ ବିଭାଗ କାର୍ଯ୍ୟାଳୟ ସାମ୍ନା କେନାଲରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ଶବକୁ ଚିହ୍ନଟ କରିଥିଲେ। ଏହାପରେ ମୃତକ ସନ୍ଦୀପ କୁମାର ବୋଲି ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ପଅରଦିନ ବିଳମ୍ବିତ ରାତିରେ ପୁରୀ କେନାଲରେ ଏକ ଦୁର୍ଘଟଣା ଘଟିଥିଲା। ଏକ କାର ପୁରୀ କେନାଲରେ ଖସିପଡ଼ି ଦୁଇଘଣ୍ଟା ଯାଏ ଜଳରେ ବୁଡ଼ି ରହିଥିଲା। ଗତକାଲି ସକାଳେ ସ୍ଥାନୀୟ ଲୋକ କ୍ରେନ ସହାୟତାରେ ପାଣି ଭିତରୁ କାରଟିକୁ ଉଦ୍ଧାର କରିଥିଲେ, ହେଲେ କାର୍ ଭିତରେ ଥିବା ୨ ଜଣ ନିଖୋଜ ଅଛନ୍ତି। ନିଖୋଜ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦୀପ କୁମାର ଏବଂ କର୍ମଚାରୀ ମହେନ୍ଦ୍ର କୁମାର।
ପଅରଦିନ ରାତି ପ୍ରାୟ ୧୨ଟା ବେଳେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର୍ ରାଜଧାନୀର ଶିବଶକ୍ତି ନଗରକୁ ଯାଉଥିଲେ। ହେଲେ ପୁରୀ ମୁଖ୍ୟ କେନାଲ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିଲା। ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଦୁର୍ଘଟଣା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି କ୍ରେନ୍ ଯୋଗେ କାରକୁ ଉପରକୁ ଆଣିଥିଲେ।

ସମ୍ବନ୍ଧିତ ଖବର