ପାନୀୟ ଜଳର ଘୋର ଅଭାବ ଯୋଗୁଁ ପର୍ଯ୍ୟଟକମାନଙ୍କୁ ସିମଲା ମନା।

ସିମଲା : ସିମଲାରେ ଏବେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଯାହାଫଳରେ ପାଣି ପାଇଁ ଲୋକମାନଙ୍କୁ ବହୁତ ହଇରାଣ ହେବାକୁ ପଡୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନଅସନ୍ତୋଷ ଦେଖାଦେବାରେ ଲାଗିଛି। ଏପରିସ୍ଥଳେ ସିମ୍‌ଲା ବୁଲିବାକୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ଲଗାଇ ଦିଆଯାଇଛି। ଏଠାକୁ ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କୁ ନ ଆସିବା ପାଇଁ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ବାରଣ କରାଯାଇଛି।

ପାହାଡର ରାଣୀ କୁହାଯାଉଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସିମଲା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ। ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ପିଇବା ପାଣି ସମସ୍ୟା ଏତେ ଉତ୍କଟ ହୋଇଛି ଯେ ସ୍ଥାନୀୟ ଲୋକ ଓ ପରିବେଶବିତ ସୋସିଆଲ ମିଡିଆରେ ପର୍ଯ୍ୟଟକଙ୍କୁ ସିମଲା ଆସିବା ପାଇଁ ମନା କରିଛନ୍ତି। ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଧରି ସିମଲାରେ ଲୋକଙ୍କୁ ପିଇବା ପାଣି ମିଳୁନାହିଁ। ନଗର ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ସଂଗ୍ରହ କରିବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଏପରିକି ୩-୪ ଦିନରେ ଥରେ ପାଣି ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏପରିକି ବିକ୍ଷୋଭ ପ୍ରଦର୍ଶନ ବେଳେ ସ୍ଥାନୀୟଲୋକେ ଓ ପୁଲିସ ମୁହାଁମୁହିଁ ହୋଇଥିଲେ।

ସମସ୍ୟାର ସମାଧାନ ପାଇଁ ଅସ୍ଥାୟୀ ଭାବରେ ନିର୍ମାଣ କାମ ଓ କାର୍‌ ଧୋଇବା ପାଇଁ ବାରଣ କରିଛନ୍ତି ହାଇକୋର୍ଟ । ସହର ପାଇଁ ୪୫ମିଲିୟନ ଲିଟର ପାଣିର ଆବଶ୍ୟକତା ଥିବା ବେଳେ କେବଳ ୧୮ ମିଲିୟନ ପାଣି ଯୋଗାଣ ହୋଇପାରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ପ୍ରାୟ ଶହେରୁ ଅଧିକ ହୋଟେଲ ନିଜର ବୁକିଂ ମଧ୍ୟ କ୍ୟାନସେଲ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର