ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ସାଙ୍ଗ, ହଷ୍ଟେଲ୍‌ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ଜେରା

ଭୁବନେଶ୍ବର: ସମ୍ପ୍ରତି ରାଜଧାନୀରେ ଛାତ୍ର ଆତ୍ମହତ୍ୟା ଉଦ୍‌ବେଗଜନକ ଭାବେ ବଢ଼ୁଛି। ଗତ ସପ୍ତାହରେ ଚନ୍ଦକା ଥାନା ଗୋଠପାଟଣାସ୍ଥିତ ଏକ ଘରୋଇ କଲେଜ କ୍ୟାମ୍ପସରେ ଜଣେ ବିଏସ୍‌ସି ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଗତକାଲି ରାଜଧାନୀରେ ପୁଣି ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଜଣେ ଆଇନ ଛାତ୍ର ୮ ମହଲା ଉପରୁ ଡେଇଁ ପଡ଼ିଥିବା ବେଳେ ଅନ୍ୟ ଜଣେ ଓୟୁଏଟି ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ଛାତ୍ର ଫ୍ୟାନ୍‌ରେ ଝୁଲିପଡ଼ିଛନ୍ତି। ଦୁଇଟିଯାକ ମାମଲା ରହସ୍ୟମୟ ହୋଇପଡ଼ିଥିବା ବେଳେ ଆଜି ଜଣେ ଛାତ୍ରଙ୍କ ଇନ୍‌ଷ୍ଟା ପୋଷ୍ଟ ଓ ଅନ୍ୟ ଜଣଙ୍କ ସୁଇସାଇଡ୍‌ ନୋଟ୍‌ ମିଳିଛି।

ଏଥିରୁ ଦୁଇଟିଯାକ ମାମଲା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ୨ ଛାତ୍ରଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି ଏବଂ ସିଡିଆର୍‌ ରିପୋର୍ଟ ଛାନ୍‌ଭିନ୍‌ କରୁଛି। ସେହିଭଳି ସେମାନଙ୍କ ସାଙ୍ଗ, ହଷ୍ଟେଲ କର୍ମଚାରୀ, ଆପାର୍ଟମେଣ୍ଟର ସୁରକ୍ଷା କର୍ମୀମାନଙ୍କୁ ଘନଘନ ପଚରାଉଚରା ଚାଲିଛି।

ଚନ୍ଦ୍ରମା ଆପାର୍ଟମେଣ୍ଟରେ ମୃତ୍ୟୁବରଣ କରିଥିବା କଟକ ଜାତୀୟ ଆଇନ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଅନିରାଜ ଟୁଡୁଙ୍କ ଇନ୍‌ଷ୍ଟା ପୋଷ୍ଟ ମିଳିଛି। ସେ ସେଥିରେ ଲେଖିଛନ୍ତି, ‘ମୁଁ ମୋ ପ୍ରତିଶ୍ରୁତି ରଖିପାରିଲି ନାହିଁ? ମୋତେ କ୍ଷମା କରିବ। ଗୋଟିଏ ଦୁଃସ୍ବପ୍ନ ଭାବି ମୋତେ ଭୁଲିଯାଅ।’ ଏହି ସ୍ପର୍ଶକାତର ପୋଷ୍ଟରୁ କିଛି ସ୍ପଷ୍ଟ ହୋଇନାହିଁ। ସେ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି, ଜଣାପଡ଼ୁନାହିଁ। ପୋଷ୍ଟଟି ପରିବାର ଲୋକଙ୍କ ଉଦ୍ଦେଶ୍ୟରେ କିମ୍ବା ପ୍ରେମିକା ଉଦ୍ଦେଶ୍ୟରେ ହୋଇଥାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ୫ବର୍ଷ ତଳେ ଟୁଡ଼ୁ ତାଙ୍କ ପରିବାର ସହ ଚନ୍ଦ୍ରମା ଆପାର୍ଟମେଣ୍ଟର ଏ-ବ୍ଲକରେ ରହୁଥିଲେ। ପରେ ତାଙ୍କ ପରିବାର ଗଙ୍ଗନଗରକୁ ଚାଲିଯାଇଥିଲେ। ମୃତ୍ୟୁ ପୂର୍ବରୁ ଟୁଡୁ ସି-ବ୍ଲକକୁ ଯାଇ ସେଠାରୁ ତଳକୁ ଡେଇଁପଡ଼ିଲେ। ଏ-ବ୍ଲକ୍‌ରେ ରହୁଥିବା ଟୁଡୁ ସି-ବ୍ଲକ୍‌କୁ କ’ଣ ପାଇଁ କାହାକୁ ଭେଟିବାକୁ ଯାଇଥିଲେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇରହିଛି।

ସେହିପରି ଓୟୁଏଟି ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ଶେଷ ବର୍ଷ ଛାତ୍ର ଶୁଭ୍ରଜିତ୍‌ ରାଉତଙ୍କ ହଷ୍ଟେଲ୍‌ ରୁମ୍‌ରୁ ପୁଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସେଥିରେ ସେ ବାପାଙ୍କୁ କ୍ଷମା ମାଗିଛିନ୍ତି। ‘ବାପା ମୋତ‌େ କ୍ଷମା କରିଦେବେ’ ବୋଲି ଲେଖାଯାଇଛି। ଏଥିସହିତ ଆହୁରି କିଛି ସମ୍ବେଦନଶୀଳ କଥା ମଧ୍ୟ ଲେଖାଯାଇଛି। ଶୁଭ୍ରଜିତ୍‌ଙ୍କ ଆତ୍ମହତ୍ୟା ପଛରେ ବି ପ୍ରେମ ସମ୍ପର୍କ ଥିବା କଥା ଆଲୋଚନା ହେଉଛି। ଉଭୟ ଘଟଣାରେ ଆଜି ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର