ହନୁମାନ ପଇସା ନାଁରେ ୫ ଲକ୍ଷ ଚଳୁ

ଠକକୁ ଅପହରଣ କରି ୩ ଅଟକ, ଅପହୃତଙ୍କୁ ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଜଣେ ଯୁବକଙ୍କୁ ଅପହରଣ କରିବା ପରେ ବନ୍ଦୀ କରି ରଖିବା ଅଭିଯୋଗରେ ଆଜି ତମାଣ୍ଡୋ ଥାନା ପୁଲିସ ୩ ଅପହରଣକାରୀଙ୍କୁ ଅଟକ ରଖିଛି। ଏଥିସହିତ ପୁଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି। ଅପହୃତ ଜଣକ ହେଲେ ପାଟକୁରାର ବିବେକାନନ୍ଦ ମହାନ୍ତି। ସମସ୍ତ ୪ଜଣଙ୍କୁ ତମାଣ୍ଡୋ ଥାନା ପୁଲିସ କଳିଙ୍ଗବିହାରସ୍ଥିତ ଏକ ଓୟୋ ହୋଟେଲ୍‌ରୁ ଧରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ବିବେକାନନ୍ଦ ୩ ଅପହରଣକାରୀଙ୍କୁ ହନୁମାନ ପଇସା ଦେବ ବୋଲି କହି ସେମାନଙ୍କ ଠାରୁ ୫ଲକ୍ଷ ଟଙ୍କା ଆଣିଥିଲା।

ମିଛ କହି ଟଙ୍କା ହାତେଇବା ପରେ ଆଉ ଧରାଛୁଆଁ ଦେଇନଥିଲା। ତେଣୁ ଟଙ୍କା ଦେଇଥିବା ଯୁବକମାନେ ଚତୁରତାର ସହ ବିବେକାନନ୍ଦକୁ ପାଟକୁରାରୁ ଅପହରଣ କରି କଳିଙ୍ଗବିହାରରେ ପଣବନ୍ଦୀ କରି ରଖିଥିଲେ। ୫ ଲକ୍ଷ ଟଙ୍କା ଫେରାଇଲେ ସେମାନେ ତାକୁ ଛାଡ଼ିବେ ବୋଲି ଏକ ମେସେଜ୍‌ ତାଙ୍କ ଘରକୁ ପଠାଇଥିଲେ। ଏନେଇ ପରିବାର ଲୋକେ ପାଟକୁରା ଥାନା ପୁଲିସକୁ ଜଣାଇଥିଲେ ଓ ପୁଲିସ ମୋବାଇଲ୍‌ ଫୋନ୍‌ ଟ୍ରାକ୍ କରି କଳିଙ୍ଗବିହାରରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର