‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର

ପାକିସ୍ତାନୀ ସମେତ ୧୭ ବିଦେଶୀ ନାଗରିକଙ୍କୁ ଉଦ୍ଧାର କଲା ଭାରତ

ନୂ୍ଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର କରିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ‘ଅପରେସନ୍‌ ଗଙ୍ଗା’ ଆଜି ଶେଷ ହେବ। ଆଜି ‘ଅପରେସନ୍‌ ଗଙ୍ଗା’ ଅଧୀନରେ ଶେଷ ବିମାନ ଉଡ଼ାଣ କରିବ। ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ସରକାରୀ ଟିମ୍‌ ଏହି ବିମାନ ଯୋଗେ ଫେରିବେ । ଉଦ୍ଧାର କାର୍ଯ୍ୟରେ ସମନ୍ବୟ ରକ୍ଷା ପାଇଁ ୪ ଜଣ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନ୍‌ର ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ପଠାଯାଇଥିଲା। ଅନ୍ୟପ‌କ୍ଷେ ବୁଧବାର ଦିନ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସ୍ବଦେଶ ଫେରୁଛନ୍ତି। ସୁମିରେ ଫସିଥିବା ସମସ୍ତ ୭୦୦ ଭାରତୀୟ ଛାତ୍ର ଫେରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଯେ ରୋମାନିଆରୁ ଶେଷ ସ୍ବତନ୍ତ୍ର ବିମାନ ଉଡ଼ାଣ କରିଛି। ଫେବ୍ରୁଆରି ୨୪ରେ ରୁଷ୍‌ ଯୁଦ୍ଧ ଆରମ୍ଭ କରିବାପରଠାରୁ ଏଯାବତ ମୋଟ୍‌ ୧୮ ହଜାର ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର। ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କର ଗୋଳାମାଡ଼ରେ ମୃତ୍ୟୁ ହୋଇଥିଲା ଏବଂ କିବ୍‌ରେ ଜଣେ ଭାରତୀୟ ଛାତ୍ର ଗୁଳିମାଡ଼ର ଶିକାର ହୋଇ ଆହତ ହୋଇଥିଲେ। ଗତକାଲି ସେ ଦିଲ୍ଲୀ ଆସି ପହଞ୍ଚିଛନ୍ତି। ୟୁକ୍ରେନ୍‌ରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ବହୁତ ବଡ଼ ଚ୍ୟାଲେଂଜ ଥିବା ବେଳେ ଭାରତ ଏଥିପାଇଁ ୫୦ ଜଣ ରୁଷୀୟ ଭାଷାରେ କଥାବାର୍ତ୍ତା କରିପାରୁଥିବା ଅଧିକାରୀଙ୍କୁ ନିୟୋଜିତ କରିଥିଲା । ଏହା ସହିତ ଛାତ୍ରଙ୍କୁ ବସ୍‌ରେ ଯୁଦ୍ଧାଞ୍ଚଳରୁ ଆଣିବା ପାଇଁ ସ୍ଥାନୀୟ ପରିବହନ ଠିକାଦାରମାନେ ଭାରତକୁ ସହଯୋଗ କରିଥିଲେ।

ପାକିସ୍ତାନୀ ସମେତ ୧୭ ବିଦେଶୀ ନାଗରିକଙ୍କୁ ଉଦ୍ଧାର କଲା ଭାରତ
ନୂଆଦିଲ୍ଲୀ : ୟୁକ୍ରେନ୍‌ର ଯୁଦ୍ଧପ୍ରବଣ ସହର ସୁମିରେ ପ୍ରାୟ ୧୪ ଦିନ ଧରି ଫସି ରହିଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ସମେତ ମୋଟ୍‌ ୧୭ ବିଦେଶୀ ନାଗରିକଙ୍କୁ ଭାରତ ଉଦ୍ଧାର କରିଛି। ମିଳିଥିବା ସୂଚନାନୁଯାୟୀ ୭୦୦ ଭାରତୀୟ ନାଗରିକଙ୍କ ସମେତ ଭାରତ ଜଣେ ପାକିସ୍ତାନୀ ମହିଳା ଆସ୍‌ମା ସାଫିକ୍‌, ଜଣେ ନେପାଳୀ ନାଗରିକ, ୨ ଜଣ ଟୁନିସିଆ ନାଗରିକ ଏବଂ ୧୩ ଜଣ ବାଂଲାଦେଶୀ ନାଗରିକଙ୍କୁ ସୁମିରୁ ଉଦ୍ଧାର କରିଛି। ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହାୟତାରେ ଭାରତୀୟ ଦୂତାବାସ ଦ୍ବାରା ସମସ୍ତ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୃଥକ୍‌ ଭାବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କିଙ୍କ ସହ କଥା ହେବାପରେ ୟୁକ୍ରେନ୍‌ ମାନବୀୟ କରିଡର ଖୋଲିବାପାଇଁ ରାଜି ହୋଇଥିଲା ଏବଂ ଏହି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିଲା। ଛାତ୍ରଙ୍କ ବାଦ୍‌ ସୁମିରେ ଫସିଥିବା ପ୍ରାୟ ୨୦ ଭାରତୀୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭାରତ ଉଦ୍ଧାର କରିଛି। ସୁମିରୁ ଉଦ୍ଧାର ହୋଇଥିବା ଏହି ନାଗରିକମାନେ ପୋଲଟଭାରୁ ଏକ ସ୍ବତନ୍ତ୍ର ‌ଟ୍ରେନ୍‌ ଧରିଛନ୍ତି।

ସମ୍ବନ୍ଧିତ ଖବର