ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବାଲିପାଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲିପାଟଣା ଥାନା ଅନ୍ତର୍ଗତ ଓଡ଼ଖଣ୍ଡ ବଜାର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ସେ ହେଲେ, ନରଦାର ରଜନୀକାନ୍ତ ନାୟକଙ୍କ ପୁଅ ସତ୍ୟମ୍‌ ଶୁଭମ୍ (୧୯)। ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲ ଓ ସେଠାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୨ଜଣ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ଛିଡ଼ାଇନେଲେ ୧୪ ଗ୍ରାମ୍‌ର ସୁନା ଚେନ୍‌, ୩ ହଜାର ଟଙ୍କା
୨ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ୍‌ ଜିମା ଦେଲେ ଲୋକେ

ରଜନୀକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଆଜି ରାତି ପ୍ରାୟ ୯ଟା ବେଳେ ବସନ୍ତମାଳ ଛକରୁ ସଉଦା ନେଇ ସତ୍ୟମ୍‌ ଘରକୁ ଫେରୁଥିବା ବେଳେ ଓଡ଼ଖଣ୍ଡ ବଜାର ନିକଟରେ କିଛି ଯୁବକ ସତ୍ୟମ୍‌ଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଜଣେ ଆକ୍ରମଣକାରୀ ତାଙ୍କ ବେକରୁ ୧୪ଗ୍ରାମ୍‌ର ଏକ ସୁନା ଚେନ୍‌ ଏବଂ ୩ହଜାର ଟଙ୍କା ଛଡ଼ାଇ ନେଇଥିଲେ। ତେବେ ଅଭିଯୁକ୍ତମାନେ ଭୁଜାଲିରେ ସତ୍ୟମ୍‌କୁ ହାଣିବାକୁ ବସିଥିବା ବେଳେ ପାଟି ଶୁଣି ଆଖପାଖର କିଛି ଲୋକ ଘଟଣାସ୍ଥଳକୁ ଚାଲି ଆସିବାରୁ ଦୁର୍ବୃତ୍ତମାନେ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଅନ୍ୟମାନେ ଫେରାର୍‌ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ୨ଜଣଙ୍କୁ କାବୁ କରି ନିର୍ଧୁମ୍‌ ଛେଚିଥିଲେ। ଅଭିଯୁକ୍ତଦ୍ବୟ ହେଲେ ନରଦା ଅରକ୍ଷିତ ରାଉତଙ୍କ ପୁଅ ହାପି ଏବଂ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ସୋନୁ। ଲୋକଙ୍କ ମାଡ଼ରେ ହାପି ଆହତ ହୋଇଛି। ତାକୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଭର୍ତ୍ତି କରାଯାଇଛି। ଫେରାର୍‌ ଅଭିଯୁକ୍ତମାନେ ନରଦା ବସ୍ତିର ବୋଲି ଜଣାଯାଇଛି। ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଏହି ଘଟଣାକୁ କେନ୍ଦ୍ର କରି ଆଜି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର